ଏ.କେ ବ୍ୟୁରୋ : କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅଞ୍ଚଳରେ ଜଣେ ବିଧବା ମହିଳାଙ୍କୁ ହତ୍ୟା ଅଭିଯୋଗ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମୃତକ ହେଲେ ଦମ୍ପତିପୁର ଗ୍ରାମର ସ୍ୱର୍ଗତ ବାବାଜୀ ପ୍ରଧାନଙ୍କ ପତ୍ନୀ ଗୀତା ପ୍ରଧାନ (୩୬)। ପୁଲିସର ସୂଚନା ଅନୁଯାୟୀ, ଗୀତା ଗତ ୪ରୁ ୬ ମାସ ଧରି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ମାଳିପଡ଼ା ଅଞ୍ଚଳର ବଳରାମ ପ୍ରଧାନ (୩୫)ଙ୍କ ସହ ରହୁଥିଲେ।

ଅଗଷ୍ଟ ୧୫ ତାରିଖ ଦିନ ପ୍ରାୟ ମଧ୍ୟାହ୍ନ ସମୟରେ ଉଭୟେ ନିକଟସ୍ଥ ଜଙ୍ଗଲକୁ ଗୋରୁ ଚରାଇବା ପାଇଁ ଯାଇଥିଲେ। ଜଙ୍ଗଲରେ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେବା କାରଣରୁ ବଳରାମ ଗୀତାକୁ ହତ୍ୟା କରିଛି ବୋଲି ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଆଧାର କରି ଗୁରୁଡିଝାଟିଆ ଥାନା କେଶ ନମ୍ବର ୨୦୭/୨୦୨୬ ରୁଜୁ କରି ଅଭିଯୁକ୍ତ ବଳରାମ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଗୁରୁଡିଝାଟିଆ ଥାନା ଅଧିକାରୀ ଶ୍ରୀ ଶୁଭେନ୍ଦୁ ମିଶ୍ର ସୂଚନା ଦେଇଛନ୍ତି।






