ଏ.କେ ବ୍ୟୁରୋ :ଅନୁଗୋଳର ବହୁଚର୍ଚ୍ଚିତ ସୁଭଦ୍ରା ପାଦିଲ୍ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଷ୍ଟଟ୍ରାକ କୋର୍ଟଙ୍କ ବଡ଼ ରାୟ। ଅଭିଯୁକ୍ତ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡାଦେଶ। ଏହାସହ ୧ ଲକ୍ଷ ଟଙ୍କା ଜରିମାନା ପାଇଁ ଆଦେଶ ଦେଇଛନ୍ତି କୋର୍ଟ। ଏଭଳି କୋଠର ରାୟ ଶୁଣାଇଛନ୍ତି ଫାଷ୍ଟଟ୍ରାକ କୋର୍ଟ ଆଡହକ ଅତିରିକ୍ତ ଜିଲ୍ଲା ଜଜ୍ ବିରଞ୍ଚି ନାରାୟଣ ମିଶ୍ର।
ଅପରପକ୍ଷରେ ଏହି ଘଟଣାରେ ପୁଲିସ ASI ରିତାଞ୍ଜଳି ପ୍ରଧାନଙ୍କ କାର୍ଯ୍ୟରେ ଅବହେଳାକୁ କୋର୍ଟ ଭର୍ସନା କରିବା ସହିତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗକୁ ନିର୍ଦ୍ଦେଶ ଜାରି କରିଛନ୍ତି।* ଅଭିଯୁକ୍ତ ବିଶୁ ଗୋଚ୍ଛାୟତ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୬୪(୧) (ଦୁଷ୍କର୍ମ), ୬୬, ୧୦୩(୧) (ହତ୍ୟା) ଏବଂ ୨୩୮(କ) ଅଧୀନରେ ସମସ୍ତ ଅଭିଯୋଗ ପ୍ରମାଣିତ ହୋଇଛି।
ସୂଚନା ଥାଉକି, ଅନୁଗୋଳ ପୋଲିସ ପକ୍ଷରୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯାଇଥିଲା। ଅଦାଲତରେ ଦୋଷୀ ବିରୋଧରେ ସମସ୍ତ ସାକ୍ଷ୍ୟ ପ୍ରମାଣ ସଫଳତାର ସହ ଉପସ୍ଥାପନ କରିଥିଲା ପୁଲିସ । କଣିହାଁ ବ୍ଲକ ଲୁଧାଝର ଗାଁର ୨୫ ବର୍ଷୀୟା ସୁଭଦ୍ରା ପାଦିଲ ୨୦୨୫ ଏପ୍ରିଲ ୨୬ ତାରିଖରେ ଭୁବନେଶ୍ୱରରେ ଥିବା ଏକ ବେସରକାରୀ ସଂସ୍ଥାକୁ ଯିବା ପାଇଁ ତାଳଚେର ରୋଡ଼ ଷ୍ଟେସନ ଅଭିମୁଖେ ବାହାରି ନିଖୋଜ ହୋଇଯାଇଥିଲେ।
ତେବେ ତାଙ୍କର କୌଣସି ପତ୍ତା ନ ମିଳିବାରୁ ପରିବାର ଲୋକେ ଏପ୍ରିଲ ୩୦ରେ ୨୦୨୫ରେ କଣିହାଁ ଥାନାରେ ଏତଲା ଦେଇଥିଲେ। ମେ’ ୪ ତାରିଖରେ ବଅଁରପାଳ ଥାନା ଅନ୍ତର୍ଗତ କୁସୁପାଙ୍ଗୀ ନିକଟ ଏକ କ୍ଷେତରୁ ସୁଭଦ୍ରାଙ୍କ ଅର୍ଦ୍ଧଦଗ୍ଧ ଓ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣା ସେତେବେଳେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଓ ଜନଅସନ୍ତୋଷ ସୃଷ୍ଟି କରିଥିଲା।






