ଏ.କେ ବ୍ୟୁରୋ : ରାସ୍ତା ସାରା ଖାଲଖମା, ବେପରୁଆ ଗତି ଓ ଦୁର୍ବଳ ଆପାତକାଳୀନ ସ୍ୱାସ୍ଥ୍ୟସେବା—ଆଉ କେତେ ଜୀବନ ଗଲେ ଚେତିବ ପ୍ରଶାସନ ? ଦଶବାଟିଆ ଛକ ନିକଟରେ ବାଇକ୍କୁ ଦ୍ରୁତଗତିରେ ଆସୁଥିବା ସ୍କୁଟି ଧକ୍କା ଦେବାରୁ ଏକାଧିକ ଆରୋହୀ ଗୁରୁତର ଆହତ। ଆହତଙ୍କୁ ପ୍ରଥମେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିବା ବେଳେ, ଧନିତ୍ରୀ ଜଗନ୍ନାଥପଡ଼ାର ତାପସ ବେହୁରାଙ୍କ ମୃତ୍ୟୁ ହୋଇଥିବା ସୂଚନା। ପରିବାରର ଶୋକକାର୍ଯ୍ୟ ସମ୍ପର୍କିତ ଆଲୋଚନା ପାଇଁ ଯାଉଥିବା ମାମୁ–ଭଣଜାଙ୍କ ଯାତ୍ରା ମଝିରେ ଘଟିଲା ଏହି ଅଘଟଣ। ଗୋଟିଏ ପରିବାରର ଦୁଃଖ ଆଉ ଏକ ଦୁଃଖରେ ପରିଣତ ହେଲା।

ଏହି ଘଟଣା ପୁଣିଥରେ ପ୍ରଶ୍ନ ଉଠାଇଛି—ପିପିଲି–ନିମାପଡ଼ା–କୋଣାର୍କ ରାଜ୍ୟ ରାଜପଥର ଦୟନୀୟ ଅବସ୍ଥା କେବେ ସୁଧୁରିବ? ରାସ୍ତାର ଖାଲଖମା, ରାସ୍ତା ଉପରେ ବୁଲା ଗୋରୁଗାଈ, ବେପରୁଆ ଗାଡ଼ି ଚାଳନା ଏବଂ ନିଶାସକ୍ତ ଚାଳନା ଉପରେ କେବେ ହେବ କଠୋର ନଜରଦାରି ? ସବୁଠାରୁ ବଡ଼ ପ୍ରଶ୍ନ—ଆନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ କୋଣାର୍କରେ ଗୁରୁତର ଦୁର୍ଘଟଣା ପାଇଁ ପର୍ଯ୍ୟାପ୍ତ ଆପାତକାଳୀନ ଚିକିତ୍ସା ଓ ଆମ୍ବୁଲାନ୍ସ ବ୍ୟବସ୍ଥା କାହିଁକି ନାହିଁ? କୁଆଡେ ଗଲା ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ଘୋଷଣା ( କୋଣାର୍କ ହେଵ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ) ଯଦିଓ ଗୋପ ସ୍ୱାସ୍ଥ୍ୟ କେନ୍ଦ୍ର ଟି ହେଉଛି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର କିନ୍ତୁ ଡାକ୍ତର ଓ ଅନ୍ୟାନ୍ୟ ପଦବୀ ଖାଲି ଥିବାରୁ ଏଠାକୁ ଅସୁଥୁବା ଦୃଘଟଣାଗ୍ରସ୍ତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥାଏ l ତାହା ମଧ୍ୟ ଅନେକ ବିଳମ୍ବ ରେ ଏବଂ ଗୁରୁତର ରୋଗୀଙ୍କୁ ଦୂରସ୍ଥ ଉଚ୍ଚତର ଚିକିତ୍ସାକେନ୍ଦ୍ରକୁ ପଠାଇବାରେ ସମୟ ଲାଗିବା—ଏସବୁ ସମସ୍ୟାର ସ୍ଥାୟୀ ସମାଧାନ ଜରୁରୀ। ସଡ଼କ ସୁରକ୍ଷା କେବଳ ଘୋଷଣାରେ ନୁହେଁ, ରାସ୍ତାରେ ଦେଖାଯାଉ। କୋଣାର୍କରେ ପର୍ଯ୍ୟଟନ ସହିତ ଜୀବନରକ୍ଷାକାରୀ ସ୍ୱାସ୍ଥ୍ୟସେବାକୁ ମଧ୍ୟ ପ୍ରାଥମିକତା ମିଳୁ। “କୋଣାର୍କ ରାସ୍ତାରେ ମୃତ୍ୟୁର ଛାୟା, ଚିକିତ୍ସା ବ୍ୟବସ୍ଥାରେ ଅବହେଳାର ଅଭିଯୋଗ “ଦୁର୍ଘଟଣା ପରେ ରେଫର୍—କୋଣାର୍କରେ କେବେ ମିଳିବ ଜୀବନ ବଞ୍ଚାଇବାର ତୁରନ୍ତ ଚିକିତ୍ସା ?” ତାପସ ବେହୁରାଙ୍କ ଆତ୍ମାର ସଦ୍ଗତି କାମନା କରିବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛୁ।






