ଏ.କେ ବ୍ୟୁରୋ : ରାୟଗଡ଼ା, ୯/୯(ନରେନ୍ଦ୍ର ନିଶାଲ): ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗୁଲୁଗୁଡ଼ା ପଞ୍ଚାୟତର ତାରପାଗୁଡ଼ା ଗାଁରେ ଏକ ଅଭାବନୀୟ ଘଟଣାରେ ଲେଟିନ୍ ଟାଙ୍କି ଭିତରେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ହରିଚନ୍ଦ୍ର ବୀର (୪୬), ଆଲୋକ କରଡ଼ା (୪୫) ଓ ପ୍ରକାଶ ଲିମା (୪୭)।

ସେମାନଙ୍କ ମଧ୍ୟରେ ଦୁଇଜଣ ମିସ୍ତ୍ରୀ ଓ ଜଣେ ଦିନମଜୁରିଆ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ତାରପାଗୁଡ଼ା ଗାଁରେ ଏକ ନୂତନ ନିର୍ମିତ ପାଇଖାନା ଟାଙ୍କିରୁ ସେଣ୍ଟରିଂ ଖୋଲିବା କାମ ପାଇଁ ଜଣଙ୍କ ପରେ ଜଣେ ତିନିଜଣ ଟାଙ୍କି ଭିତରକୁ ପ୍ରବେଶ କରିଥିଲେ। ତେବେ ଟାଙ୍କି ଭିତରେ ଥିବା ବିଷାକ୍ତ ଗ୍ୟାସ୍ କିମ୍ବା ଅମ୍ଳଜାନର ଅଭାବ ଯୋଗୁଁ ସେମାନେ ଅସୁସ୍ଥ ହୋଇପଡ଼ିଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ପଦ୍ମପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟାଙ୍କି ଭିତରୁ ତିନିଜଣଙ୍କୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ସେମାନଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପଦ୍ମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହଗୁଡ଼ିକୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ଘଟଣାର ସଠିକ୍ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ। ଏହି ଦୁଃଖଦ ଘଟଣାକୁ ନେଇ ତାରପାଗୁଡ଼ା ସମେତ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବର ପାଇ ସ୍ଥାନୀୟ ବିଧାୟକ ସତ୍ୟଜିତ ଗମାଙ୍ଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ସମ୍ପର୍କରେ ଅବଗତ ହୋଇଥିବା ଜଣାପଡ଼ିଛି।






