ଏ.କେ ବ୍ୟୁରୋ : ନନ୍ଦନକାନନରେ ଉଦ୍ଧାର ଓରାଙ୍ଗଉଟାନଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତାରେ ପୀଡ଼ିତ । ସେମାନଙ୍କର ଚିକିତ୍ସା ଆରମ୍ଭ । ଗତକାଲି ସ୍ୱତନ୍ତ୍ର ବୈଷୟିକ ବିଶେଷଜ୍ଞ କମିଟି ଦ୍ୱାରା ଏହି ବନ୍ୟପ୍ରାଣୀ ଶିଶୁଙ୍କର ପୁଙ୍ଖାନୁପୁଙ୍ଖ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ନନ୍ଦନକାନନରେ ଉଦ୍ଧାର ଓରାଙ୍ଗଉଟାନଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତାରେ ପୀଡ଼ିତ । ସେମାନଙ୍କର ଚିକିତ୍ସା ଆରମ୍ଭ । ଗତକାଲି ସ୍ୱତନ୍ତ୍ର ବୈଷୟିକ ବିଶେଷଜ୍ଞ କମିଟି ଦ୍ୱାରା ଏହି ବନ୍ୟପ୍ରାଣୀ ଶିଶୁଙ୍କର ପୁଙ୍ଖାନୁପୁଙ୍ଖ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପ୍ରାଥମିକ ରକ୍ତ ପରୀକ୍ଷା ରିପୋର୍ଟରୁ ୫ ଶିଶୁଙ୍କ ମଧ୍ୟରୁ ୩ ଜଣ ଆନିମିଆ ଅର୍ଥାତ ରକ୍ତହୀନତାରେ ପୀଡ଼ିତ ଥିବା ଜଣାପଡ଼ିଛି । ସେଥିମଧ୍ୟରୁ ଜଣକ ଅବସ୍ଥା ଗୁରୁତର ଆନିମିଆରେ ପୀଡ଼ିତ ରହିଥିବା ବେଳେ ଅନ୍ୟ ଦୁଇଜଣଙ୍କଠାରେ ସ୍ୱଳ୍ପ ରକ୍ତହୀନତା ଲକ୍ଷଣ ଦେଖାଦେଇଛି । ଅନ୍ୟାନ୍ୟ ପରୀକ୍ଷା ରିପୋର୍ଟ ଆସିବା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅଧିକ ସ୍ପଷ୍ଟ ତଥ୍ୟ ମିଳିପାରିବ ।

ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ପିସିସିଏଫଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ ବୈଷୟିକ କମିଟିର ସଦସ୍ୟମାନେ ନନ୍ଦନକାନନର ‘ହ୍ୟାଣ୍ଡ ରିଅରିଂ ସେଣ୍ଟର’ ପରିଦର୍ଶନ କରି ସମସ୍ତ ଶିଶୁଙ୍କ ଯାଞ୍ଚ କରିଥିଲେ । ଏହି ଟିମରେ ମହୀଶୂର ଚିଡ଼ିଆଖାନାର ବରିଷ୍ଠ ପଶୁ ଚିକିତ୍ସକ ଡା. ଶଶିଧର, ଡା. ମଦନ ଓ ଓୟୁଏଟିର ୱାଇଲ୍ଡଲାଇଫ୍ ହେଲ୍ ଥ୍ ସେଣ୍ଟରର ପ୍ରତିନିଧି ଡା. ଆଦିତ୍ୟ ଆଚାର୍ଯ୍ୟ ସାମିଲ ଥିଲେ । ନନ୍ଦନକାନନ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ ଏବଂ ବରିଷ୍ଠ ଭେଟେରିନାରୀ ଅଧିକାରୀଙ୍କ ଉପସ୍ଥିତିରେ ଏହି ଯାଞ୍ଚ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା । ଶିଶୁମାନଙ୍କର ଆଭ୍ୟନ୍ତରୀଣ ସ୍ଥିତି ଅନୁଧ୍ୟାନ କରିବା ପାଇଁ ସେମାନଙ୍କ ଛାତି, ପେଟ ଓ ମୁଣ୍ଡର ଏକ୍ସ-ରେ କରାଯାଇଥିଲା । ଏହାସହ ରକ୍ତ, ସେରମ୍ ଓ ନାକରୁ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଛି । ଆନିମିଆ ଚିହ୍ନଟ ହେବା ପରେ ବିଶେଷଜ୍ଞଙ୍କ ନିର୍ଦ୍ଦେଶ କ୍ରମେ ସେମାନଙ୍କୁ ସ୍ୱତନ୍ତ୍ର ପୋଷକ ତତ୍ତ୍ୱ, ଆବଶ୍ୟକୀୟ ଭିଟାମିନ୍ ଓ ଔଷଧ ଦିଆଯିବା ଆରମ୍ଭ ହୋଇଛି । ଗତ ୮ ତାରିଖରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଝାଉଁ ଜଙ୍ଗଲରୁ ଏହି ୫ଟି ବିଦେଶୀ ଓରାଙ୍ଗଉଟାନ ଛୁଆଙ୍କୁ ଚୋରା ଚାଲାଣକାରୀ ଛାଡ଼ି ପଳାଇଥିବା ବେଳେ ବନ ବିଭାଗ ସେମାନଙ୍କୁ ଉଦ୍ଧାର କରିଥିଲା । ଏମାନଙ୍କ ମଧ୍ୟରେ ୩ଟି ଅଣ୍ଡିରା ଓ ୨ଟି ମାଈ ଛୁଆ ରହିଛନ୍ତି । ମା’ଠାରୁ ଅଲଗା ହୋଇ ରହିବା ଓ ପ୍ରତିକୂଳ ପରିବେଶ କାରଣରୁ ପୂର୍ବରୁ ଜଣେ ମାଈ ଶିଶୁ ଜ୍ୱରରେ ଆକ୍ରାନ୍ତ ହୋଇଥିଲା । ବର୍ତ୍ତମାନ ସମସ୍ତ ଶିଶୁଙ୍କୁ ଚବିଶ ଘଣ୍ଟିଆ ସିସିଟିଭି ଏବଂ ଡାକ୍ତରଙ୍କ ନଜରରେ ଅଛନ୍ତି






