ବୌଦ୍ଧ: ନଶା ମୁକ୍ତ ଯୁବ ଫର ବିକଶିତ ଭାରତ’ ପଦକ୍ଷେପ ଅଧୀନରେ ଆୟୋଜିତ ହୋଇଛି ‘୧୦୦ ସପ୍ତାହ ନଶା ମୁକ୍ତ ଯୁବ ଅଭିଯାନ’।
ସରକାରୀ ପଲିଟେକ୍ନିକ୍ କଲେଜ, ବୌଦ୍ଧଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୫୪ ଜଣ ଯୁବକ-ଯୁବତୀ ଓ ଛାତ୍ରଛାତ୍ରୀ ନିଶାମୁକ୍ତ ଭାରତ ଗଠନ ପାଇଁ ନେଇଛନ୍ତି ଶପଥ।
ବୌଦ୍ଧ ଜିଲ୍ଲାରେ ନିଶା ବିରୋଧୀ ସଚେତନତା ସୃଷ୍ଟି ସହ ଯୁବପିଢ଼ିଙ୍କୁ ନଶାଠାରୁ ଦୂରେଇ ରଖିବା ପାଇଁ ଆୟୋଜିତ ହୋଇଛି ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ।

ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ‘ମେରା ଯୁବ ଭାରତ, ବୌଦ୍ଧ’ ପକ୍ଷରୁ ‘ନଶା ମୁକ୍ତ ଯୁବ ଫର ବିକଶିତ ଭାରତ’ ପଦକ୍ଷେପ ଅନ୍ତର୍ଗତ ‘୧୦୦ ସପ୍ତାହ ନଶା ମୁକ୍ତ ଯୁବ ଅଭିଯାନ’ର ଅଂଶ ଭାବରେ ସରକାରୀ ପଲିଟେକ୍ନିକ୍ କଲେଜ, ବୌଦ୍ଧଠାରେ ଆୟୋଜିତ ହୋଇଥିଲା ‘ରାଷ୍ଟ୍ରୀୟ ସଂକଳ୍ପ ସମାରୋହ’।
ଏହି ଅବସରରେ ଆୟୋଜିତ ହୋଇଥିଲା ଯୁବ ପ୍ରତିଜ୍ଞା ଓ ସ୍ୱାକ୍ଷର ଅଭିଯାନ। କାର୍ଯ୍ୟକ୍ରମରେ ମୋଟ ୧୫୪ ଜଣ ଯୁବ ପ୍ରତିଭା ଓ କଲେଜ ଛାତ୍ରଛାତ୍ରୀ ଯୋଗଦେଇ ଏକ ନିଶାମୁକ୍ତ ଭାରତ ଗଠନ ଦିଗରେ ନିଜର ଅବଦାନ ରଖିବାକୁ ଶପଥ ନେଇଥିଲେ।
କାର୍ଯ୍ୟକ୍ରମରେ ବୌଦ୍ଧର ଉପ-ଜିଲ୍ଲାପାଳ ଜ୍ୟୋତିରଞ୍ଜନ ଭୂଇଁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ସେହିପରି ସବ୍-ଇନ୍ସପେକ୍ଟର ଅରୁଣ କୁମାର ସିଂହ, ସରକାରୀ ଆଇ.ଟି.ଆଇ., ବୌଦ୍ଧର ଅଧ୍ୟକ୍ଷ ସୁବୋଧ କୁମାର ପାଣିଗ୍ରାହୀ, ଏ.ଏସ୍.ଆଇ. ବ୍ରହ୍ମାନନ୍ଦ ପ୍ରଧାନ, ସରକାରୀ ପଲିଟେକ୍ନିକ୍ କଲେଜର ପ୍ରିନ୍ସିପାଲ ପି.କେ. ସାହୁ ଏବଂ ଡି.ୱାଇ.ଓ. ପ୍ରେରଣା ମୀନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କୁ ନିଶା ବିରୋଧରେ ସଚେତନ କରିଥିଲେ।

ନିଶାମୁକ୍ତ ଭାରତ ଗଠନ ପାଇଁ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯୁବକ-ଯୁବତୀଙ୍କ ମଧ୍ୟରେ ନିଶା ବିରୋଧୀ ସଚେତନତା ବୃଦ୍ଧି ସହ ଏକ ସୁସ୍ଥ ଓ ସଶକ୍ତ ଯୁବ ସମାଜ ଗଠନ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଅଭିଯାନରେ ସହଯୋଗ ଓ ସମର୍ଥନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର କେନ୍ଦ୍ରମନ୍ତ୍ରୀ ଡାକ୍ତର ମନସୁଖ ମାଣ୍ଡବୀୟ, ମନ୍ତ୍ରଣାଳୟର ସଚିବ, ‘ମେରା ଯୁବ ଭାରତ’ର ସି.ଇ.ଓ. ଏବଂ ଯୁବ ବ୍ୟାପାର ବିଭାଗର ରାଷ୍ଟ୍ରମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଆୟୋଜକଙ୍କ ପକ୍ଷରୁ କୃତଜ୍ଞତା ଜଣାଯାଇଥିଲା।
ଆୟୋଜକଙ୍କ ପକ୍ଷରୁ କୁହାଯାଇଛି, ଏହି ୧୦୦ ସପ୍ତାହିଆ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ପ୍ରତ୍ୟେକ ରବିବାର ବିଭିନ୍ନ ଯୁବ-କୈନ୍ଦ୍ରିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଶା ବିରୋଧୀ ସଚେତନତା ସୃଷ୍ଟି କରାଯିବ।
କାର୍ଯ୍ୟକ୍ରମକୁ Ashman Mahakudଙ୍କ ସହ ସ୍ୱେଚ୍ଛାସେବୀ ସୁଶୀଲ ପାତ୍ର, ଦେବାଶିଷ ସେଠୀ ଓ ଅବିନାଶ ମିର୍ଧା ସଫଳତାର ସହ ପରିଚାଳନା କରିଥିଲେ।
ନଶାମୁକ୍ତ ଭାରତ ପାଇଁ ଯୁବପିଢ଼ି, ବିକଶିତ ଭାରତ ପାଇଁ ଯୁବପିଢ଼ି।
ନିଶା ବିରୋଧରେ ଯୁବପିଢ଼ିଙ୍କୁ ଏକାଠି କରିବା ସହ ଏକ ସୁସ୍ଥ, ସଚେତନ ଓ ବିକଶିତ ଭାରତ ଗଠନ ପାଇଁ ଏହି ଜାତୀୟ ଅଭିଯାନରେ ସମସ୍ତଙ୍କୁ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି।
ବୌଦ୍ଧରୁ କୃତିବାସ ପଳିଆଙ୍କ ସହ ଜିଲ୍ଲା ପ୍ରତିନିଧି ସବ୍ୟସାଚୀ କର୍ଣ୍ଣଙ୍କ ରିପୋର୍ଟ, ଆପଣଙ୍କ ଖବର।






