ଏ.କେ ବ୍ୟୁରୋ : ଛୁରି ଦେଖାଇ ଗ୍ରୋସରୀ ଦୋକାନରୁ ଲୁଟ୍ ଅଭିଯୋଗ, ଅଭିଯୁକ୍ତ ଗିରଫ; ଲୁଟ୍ ଟଙ୍କା ଉଦ୍ଧାର କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଏକ ଗ୍ରୋସରୀ ଦୋକାନରୁ ଛୁରି ଦେଖାଇ ଟଙ୍କା ଲୁଟ୍ ଅଭିଯୋଗରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଥିସହ ଲୁଟ୍ ହୋଇଥିବା ଟଙ୍କା ମଧ୍ୟ ଉଦ୍ଧାର କରାଯାଇଛି।
ସୂଚନା ଅନୁଯାୟୀ, ନନ୍ଦିପଦା ଥାନା ଅନ୍ତର୍ଗତ ନେତିରା ଗ୍ରାମର ଦୀପରଞ୍ଜନ ପାଢ଼ୀ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଗତ ରାତି ପ୍ରାୟ ୧ଟା ସମୟରେ ସମଣାଠାରେ ଥିବା ତାଙ୍କ ଗ୍ରୋସରୀ ଦୋକାନକୁ ଜଣେ ଦୁର୍ବୃତ୍ତ ଆସି ଦୋକାନର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ। ଏହାପରେ ଛୁରି ଦେଖାଇ ଦୋକାନର ସେଲ୍ସମ୍ୟାନ୍ଙ୍କୁ ଭୟଭୀତ କରିବା ସହ ଜୀବନରେ ମାରିଦେବାର ଧମକ ଦେଇ କ୍ୟାସ୍ ଡ୍ରୟରରୁ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ନନ୍ଦିପଦା ପୁଲିସ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଜଗା ଓରଫ ସଞ୍ଜୟ କୁମାର ସେଠୀଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କ ଘର ହାଟଡିହି ଥାନା ଅନ୍ତର୍ଗତ ଜଳକଳଙ୍ଗା ଗ୍ରାମରେ ବୋଲି ଜଣାପଡ଼ିଛି। ପୁଲିସ ତାଙ୍କଠାରୁ ଲୁଟ୍ ହୋଇଥିବା ଟଙ୍କା ମଧ୍ୟ ଉଦ୍ଧାର କରିଛି। ଏହି ଘଟଣାରେ ନନ୍ଦିପଦା ଥାନା କେସ୍ ନମ୍ବର ୩୭୬/୨୦୨୬, ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୩୩୧(୪)/୩୦୯(୪) ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟକୁ ଚାଲାଣ କରିଛି।






