ଏ.କେ ବ୍ୟୁରୋ : ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆର୍ଡିସି) ଭାବେ ନୂତନ ଦାୟିତ୍ୱ ଗ୍ରହଣ କରିଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ବିଜୟ ଅମୃତ କୁଲାଙ୍ଗେ ବୁଧବାର ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ଦର୍ଶନ ଓ ପୂଜାର୍ଚ୍ଚନା କରିବା ସହ ଦକ୍ଷିଣାଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଛନ୍ତି।

ତାଙ୍କର ଏହି ଗସ୍ତ ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରିବା ସହ ଜିଲାବାସୀଙ୍କ ମନରେ ବିକାଶର ନୂଆ ଆଶା ସଞ୍ଚାର କରିଛି। ମନ୍ଦିର ପରିସର ବୁଲି ଦେଖିବା ସହ ଏହାର ଉନ୍ନୟନ ଓ ଭବିଷ୍ୟତ ବିକାଶ ସମ୍ପର୍କରେ ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର ନିର୍ବାହୀ ଅଧିକାରୀ ବିନୋଦ କୁମାର ବେହେରାଙ୍କ ସହ ଆଲୋଚନା କରିଥିଲେ। କୁଲାଙ୍ଗେ ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଗଞ୍ଜାମରେ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଭାବେ କାର୍ଯ୍ୟ କରିବା ପରେ ୨୦୧୦ ନୂତନ ମନ୍ଦିର ନିର୍ମାଣ ପରେ ପ୍ରତିଷ୍ଠା କାର୍ଯ୍ୟ ହୋଇପାରି ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲା। କୁଲାଙ୍ଗେଙ୍କ ଉଦ୍ୟମରେ ୨୦୨୨ ମେ’ ୧୫ ତାରିଖରେ ମନ୍ଦିରର ପ୍ରତିଷ୍ଠା ହୋଇଥିଲା। ଦୀର୍ଘ ଛଅ ବର୍ଷର ସମ୍ପର୍କ ଓ ସ୍ମୃତିକୁ ମନେପକାଇ ଗଞ୍ଜାମବାସୀ ତାଙ୍କର ପୁନର୍ବାର ଆଗମନକୁ ନେଇ ଖୁସି ପ୍ରକାଶ କରିଛନ୍ତି। ତାଙ୍କ ନୂତନ ଦାୟିତ୍ୱରେ ଦକ୍ଷିଣାଞ୍ଚଳର ବିକାଶ ଆହୁରି ତ୍ୱରାନ୍ବିତ ହେବ ବୋଲି ଅଞ୍ଚଳବାସୀ ଆଶାବ୍ୟକ୍ତ କରିଛନ୍ତ ଏହି ଗସ୍ତ ସମୟରେ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକ, ଛତ୍ରପୁର ଉପଜିଲାପାଳ ଡ. ଶିବାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀ, ଦେବାଶିଷ ମହାପାତ୍ର, ମନ୍ଦିର ଉନ୍ନୟନ ପରିଷଦର ସମ୍ପାଦକ ପ୍ରମୋଦ ପଣ୍ଡା ଓ ସେବାୟତ ବାପୁଜୀ ରଣାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।






