ଏ.କେ ବ୍ୟୁରୋ : ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ତେଲିଭୂଇଁ ଅଞ୍ଚଳ ସମେତ ଆଖପାଖ ଅଞ୍ଚଳରେ ବେଆଇନ ଗୋ-ଚାଲାଣ ଏବେ ଚିନ୍ତାର ବିଷୟ ପାଲଟିଛି। ଗୋ-ମାଫିଆମାନେ ସକ୍ରିୟ ହୋଇ ଦିନ ଦ୍ୱିପ୍ରହରରେ ବେଧଡ଼କ ଭାବେ ଗାଡ଼ି ଯୋଗେ ଗୋରୁ ଚାଲାଣ କରୁଥିବା ଅଭିଯୋଗ ହେଉଛି। କେବଳ ତେଲିଭୂଇଁ ନୁହେଁ, ବରଂ ବଅଁରପାଳ, ଝାଜିରୀବାହାଳ, ବନ୍ଦା ଏବଂ ଅରାହାଟ ଭଳି ସ୍ଥାନଗୁଡ଼ିକ ଏବେ ଗୋ-ଚାଲାଣର ମୁଖ୍ୟ କେନ୍ଦ୍ର ପାଲଟିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ପ୍ରତିଦିନ ବିଳମ୍ବିତ ରାତି ଓ ଭୋର ସମୟରେ ବଡ଼ ବଡ଼ ଗାଡ଼ିରେ ଗୋରୁମାନଙ୍କୁ ଅତି ଅମାନୁଷିକ ଭାବେ ବୋଝେଇ କରି ଚାଲାଣ କରାଯାଉଛି। ଏହି ବେଆଇନ କାରବାର ପଛରେ କେଉଁ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ରହିଛି ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟ କରାଯାଉଛି, ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶାସନ ଓ ପୋଲିସର ନାକ ତଳେ ଏଭଳି ବେଆଇନ କାର୍ଯ୍ୟ ଚାଲୁଥିଲେ ମଧ୍ୟ କୌଣସି ଦୃଢ଼ ପଦକ୍ଷେପ ନିଆଯାଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଏହି ଘଟଣାରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି ଯେ, ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଏକ ନିରପକ୍ଷ ତଦନ୍ତ କରୁ। ଗୋ-ଚାଲାଣର ସତ୍ୟାସତ୍ୟ ସାମ୍ନାକୁ ଅଣାଯିବା ସହ ଏଥିରେ ସମ୍ପୃକ୍ତ ଥିବା ମାଫିଆ ଓ ଅନ୍ୟ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଯଦି ଆଗାମୀ ଦିନରେ ଏହି ବେଆଇନ କାରବାର ବନ୍ଦ ନହୁଏ, ତେବେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଅନୁଗୋଳ ରୁ ଶ୍ୟାମଘନ ନାୟକଙ୍କ ରିପୋର୍ଟ, ଆପଣଙ୍କ ଖବର।






