ଏ.କେ ବ୍ୟୁରୋ : ପାଳଲହଡ଼ା ବ୍ଲକ୍ ଖମାର ଥାନା ଆଲୋରୀ ପଞ୍ଚାୟତରେ ଶତକଡା ୭୦ ଭାଗରୁ ଅଧିକ ଆଦିବାସୀ ହରିଜନ ଓ ଗରିବ ଶ୍ରେଣୀର ଲୋକ ବସବାସ କରୁଥିଲେ ମଧ୍ୟ ଆବାସ ଯୋଜନାରୁ ବଞ୍ଚିତ କରାଯାଉଛି। ଆଶାୟୀ ହିତାଧିକାରୀ ଭାଗ୍ୟକୁ ଆଦରି ଭଙ୍ଗା ଦଦରା ଘରେ ଅତି କଷ୍ଟରେ ଦିନ କାଟୁଛନ୍ତି| ଏମାନଙ୍କୁ ପ୍ରାଥମିକତା ଦେବା ପରିବର୍ଷେ ଉପେକ୍ଷା କରାଯାଉଛି। ଖରା, ବର୍ଷା ଆଉ ଶୀତ କାକରକୁ ସହି ଏମାନେ ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି। ଏମାନଙ୍କ ଅଭିଯୋଗ ଶୁଣିବାକୁ କେହି ନାହିଁ। ଘର ଯୋଗାଇବା ପରିବର୍ତ୍ତେ କେବଳ ମିଛ ଆଶ୍ଵାସନା ମିଳୁଛି ବୋଲି ପଞ୍ଚାୟତବାସୀ କହିଛନ୍ତି ।
ମିଳିଥିବା ତଥ୍ୟ ଅନୁସାରେ, ଆଲୋରୀ ପଞ୍ଚାୟତ ଅଧୀନରେ ଥିବା ଆଲୋରୀ, ବୁରୁବୁରା ଅର୍ଜୁନଝରୀ, ପରମାନନ୍ଦପୁର, ଭେଟିଆ, ନୂଆଗାଁ, ସାପଝରା ବିରାଳମୁଣ୍ଡା, ଭେଟିଆ ଗାଁରେ ଗରିବ ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ଅଧିକ ରହିଛି। ସେଥିମଧ୍ୟରୁ ବୁରୁବୁରା ଗାଁର ଜୁଆଙ୍ଗ ବସ୍ତି ଓ ମହ୍ଲାର ବସ୍ତିରେ ଶତକଡା ୯୫ ଭାଗ ଗରିବ ଆଦିବାସୀ ଓ ହରିଜନ ଲୋକ ବସବାସ କରୁଛନ୍ତି। ଆବାସଟିଏ ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ନିବେଦନ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏମାନଙ୍କୁ ଘରଟିଏ ମିଳିପାରିଲା ନାହିଁ। ସରକାର ପରେ ସରକାର ପରିବର୍ତନ ହେଉଥିଲେ ମଧ୍ୟ ଏମାନଙ୍କ ଆପତ୍ତ ଅଭିଯୋଗ କେବଳ ଫାଇଲ୍ ଭିତରେ ରହିଯାଉଛି। ଆଲୋରୀ ପଞ୍ଚାୟତର ସମସ୍ତ ଗ୍ରାମରେ ବସବାସ କରୁଥୁବା ଗରିବ ଆଦିବାସୀ ଓ ହରିଜନ ଲୋକଙ୍କ ଆର୍ଥିକାବସ୍ଥା ଅତି ଦୁର୍ବଳ ।
ଏମାନେ ସମସ୍ତେ ଦିନ ମଜୁରିଆ ଦିନେ ମୂଲ ନ କଲେ ପରିସ୍ଥିତି ଅସମ୍ଭାଳ ହୋଇପଡ଼େ। ଜୀବନ ଜିଇଁବା କଷ୍ଟକର ହୋଇଯାଏ। ଆବାସ ଯୋଜନାରୁ ଘରଟିଏ ପାଇଁ ଚାତକ ପରି ଅନାଇ ବସିଥିଲେ ମଧ୍ୟ ଘରଟିଏ ମିଳିପାରୁ ନାହିଁ। ପଞ୍ଚାୟତର ବିଭିନ୍ନ ଗ୍ରାମରୁ ପ୍ରାୟ ଏକ ହଜାରରୁ ଅଧିକ ଆଶାୟୀ ହିତାଧିକାରୀ ରହିଛନ୍ତି। ବାରମ୍ବାର ଘରଟିଏ ପାଇଁ ଗୁହାରି କରି ଥକିଗଲେଣି। ଏ ସଂକ୍ରାନ୍ତରେ ଆଲୋରୀ ସରପଞ୍ଚ ମୀନା ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ‘ ପଞ୍ଚାୟତର ଗରିବ ଆଦିବାସୀ ଅଞ୍ଚଳକୁ ଯାଇ ଯୋଗ୍ୟ ହାତାଧିକାରୀଙ୍କୁ ଭେଟିଛନ୍ତି। ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ସରାକାରଙ୍କୁ ଚିଠି ଲେଖିଛନ୍ତି। ସେଥିମଧ୍ୟରୁ ୬୫୫ ଜଣଙ୍କୁ ଘର ଯୋଗାଇ ଦେବାକୁ ମଞ୍ଜୁର ହୋଇଛି। ଘର ଆସିଲେ ପ୍ରାଥମିକ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀଙ୍କୁ ଯୋଗାଇ ଦିଆଯିବ!
ଅନୁଗୋଳ ରୁ ଶ୍ୟାମଘନ ନାୟକଙ୍କ ରିପୋର୍ଟ ଆପଣଙ୍କ ଖବର






