ଏ.କେ ବ୍ୟୁରୋ : ଚଳନ୍ତା ଟ୍ରେନରେ ଜଣେ ମହିଳା ଶିଶୁପୁତ୍ର ଜନ୍ମ ଦେଇଛନ୍ତି। ଟ୍ରେନରେ ମହିଳା ଜଣକ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ସମ୍ପର୍କରେ ଆଗୁଆ ସୂଚନା ପାଇ ଆରପିଏଫ କର୍ମଚାରୀ ସଜାଗ ରହିଥିଲେ। ଟ୍ରେନ କଟକ ଷ୍ଟେସନରେ ପହଞ୍ଚିବା ମାତ୍ରକେ ଉଭୟ ମହିଳା ଓ ଶିଶୁପୁତ୍ରଙ୍କୁ ଉଦ୍ଧାର କରି ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ସୋମବାର ଦିନ ପ୍ରାୟ ସାଢ଼େ ୯ଟା ବେଳେ କଟକ ରେଳ ଷ୍ଟେସନ କର୍ତ୍ତୃପକ୍ଷଙ୍କୁ ହାୱଡ଼ା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସରେ ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଖବର ମିଳିଥିଲା।

ଏହି ସୂଚନା ମିଳିବା ମାତ୍ରକେ କଟକ ଆରପିଏଫର ‘ମେରି ସହେଲି ଟିମ୍’ର କର୍ମଚାରୀମାନେ ସଜାଗ ହୋଇଯାଇଥିଲେ। ତୁରନ୍ତ ଆମ୍ବୁଲାନ୍ସ ଡକାଇଥିଲେ। ଦିନ ପ୍ରାୟ ସାଢ଼େ ୯ଟାରେ ଟ୍ରେନ କଟକ ଷ୍ଟେସନର ୩ନଂ ପ୍ଲାଟଫର୍ମରେ ପହଞ୍ଚିଥିଲା। ଏହାପରେ ଆରପିଏଫ ଟିମ୍ ତୁରନ୍ତ ଟ୍ରେନର ଜେନେରାଲ ବଗିରେ ପଶି ଉକ୍ତ ମହିଳାଙ୍କ ପାଖକୁ ଯାଇଥିଲେ। ମହିଳା ଜଣକ ସେତେବେଳକୁ ଶିଶୁପୁତ୍ରକୁ ଜନ୍ମ ଦେଇସାରିଥିଲେ। ଆରପିଏଫ ଟିମ୍ ମହିଳା ଓ ତାଙ୍କ ଶିଶୁପୁତ୍ରକୁ ଉଦ୍ଧାର କରି ଆମ୍ବୁଲାନ୍ସରେ ଏସସିବି ମେଡିକାଲ ପଠାଇଥିଲା। ପ୍ରସବ ପରବର୍ତ୍ତୀ ଚିକିତ୍ସା ପରେ ଉଭୟ ମା’ ଓ ଶିଶୁପୁତ୍ର ସୁସ୍ଥ ଥିବା ଆରପିଏଫ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଉଦ୍ଧାର କାର୍ଯ୍ୟରେ ଆରପିଏଫ ସୀମା ସାମନ୍ତରାୟ, ଏକେ. ସାହୁ, ମାତା ରାଉତ, ସରସ୍ୱତୀ ରାଉତ ପ୍ରମୁଖ ସାମିଲ ଥିଲେ। ଆରପିଏଫର ଏହି କାର୍ଯ୍ୟ ପାଇଁ ନବଜାତ ଶିଶୁପୁତ୍ରର ଅଭିଭାବକ ବିହାର ଭୋଜପୁର ଜିଲ୍ଲାର ଉମରାନ କ୍ୟୁରେସି ଓ ପତ୍ନୀ ଅସମିନ ଖାତୁନ(୨୨) କୃତଜ୍ଞତା ଜଣାଇଛନ୍ତି।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକଙ୍କ ରିପୋର୍ଟ ଆପଣଙ୍କ ଖବର






