ମହିମା ସାଧୁ ଆଶ୍ରମ, ସିନାପାଲିଠାରେ ହେବାକୁ ଥିବା ଧୂନି ମନ୍ଦିର ପ୍ରତିଷ୍ଠା ଉତ୍ସବ ତଥା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବକୁ ସଫଳତାର ସହ ଆୟୋଜନ କରିବା ଉଦ୍ଦେଶ୍ୟରେ ବାହାଲପଡ଼ାଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ମହିମା ସାଧୁ ଆଶ୍ରମ, ସିନାପାଲିର ମଠାଧୀଶ ସାଧୁ ରବୀନ୍ଦ୍ର ଦାସ ବାବା ସଭାପତିତ୍ୱ କରିଥିବା ବେଳେ ଆଶ୍ରମର ଉପସଭାପତି ଶ୍ରୀ ବିଦ୍ୟାଧର ସା ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ।
ଆଗାମୀ ଧର୍ମୀୟ ମହୋତ୍ସବକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ, ଏକତା ଓ ସକ୍ରିୟ ଭାଗିଦାରି ଅତ୍ୟନ୍ତ ଜରୁରୀ ବୋଲି କମିଟିର କୋଷାଧ୍ୟକ୍ଷ ଶ୍ରୀ ପୁରୁଷୋତ୍ତମ ସା ଏବଂ ଶ୍ରୀ ରିପୁଧର ସା ଉପସ୍ଥିତ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ସେହିପରି କମିଟିର ସାଂସ୍କୃତିକ ସମ୍ପାଦକ ଶ୍ରୀ ଚିତ୍ତରଞ୍ଜନ (ଜଗା) ମେହେର ଆଗାମୀ କାର୍ଯ୍ୟକ୍ରମର ରୂପରେଖ, ଆୟୋଜନ ଓ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
ବୈଠକରେ ବାହାଲପଡ଼ାର ଶ୍ରୀ ଲୀଳାକାର ସା, ଶ୍ରୀ ଖିରୋଦ ବେମାଲ, ଶ୍ରୀ ମହେନ୍ଦ୍ର ନାଏକ, ଶ୍ରୀ ଘେନୁ ବନ୍ଦୀଛୋର, ଶ୍ରୀ ଯୁଗେଶ୍ୱର ସାଙ୍କ ସମେତ ବହୁ କର୍ମକର୍ତ୍ତା ଓ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ନିଜ ନିଜର ମତାମତ ଓ ମୂଲ୍ୟବାନ ପରାମର୍ଶ ରଖିଥିଲେ।
ଏହି ଅବସରରେ ଶ୍ରୀ ବିଦ୍ୟାଧର ସା ଆଗାମୀ ମହୋତ୍ସବର ବିଭିନ୍ନ କାର୍ଯ୍ୟର ଦାୟିତ୍ୱ ବଣ୍ଟନ, ପରିଚାଳନା ଓ ଆବଶ୍ୟକୀୟ ବ୍ୟବସ୍ଥା ସମ୍ପର୍କରେ ସବିଶେଷ ଆଲୋକପାତ କରିଥିଲେ।
ପରିଶେଷରେ ଶ୍ରୀ ଲୀଳାକାର (ମଣ୍ଟୁ) ସା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସମସ୍ତଙ୍କର ମିଳିତ ସହଯୋଗ, ଭାଇଚାରା, ଏକତା ଓ ସକ୍ରିୟ ଭାଗିଦାରି ମାଧ୍ୟମରେ ଏହି ପବିତ୍ର ଧାର୍ମିକ ମହୋତ୍ସବ ସଫଳତାର ସହ ସମ୍ପନ୍ନ ହେବ ବୋଲି ବୈଠକରେ ଆଶା ପ୍ରକାଶ ପାଇଥିଲା।






