ବୌଦ୍ଧ: ବୌଦ୍ଧ ଜିଲ୍ଲାର କପଡ଼ା ବ୍ୟବସାୟୀ ବୀରୁପାକ୍ଷ ଅଗ୍ରୱାଲ ହତ୍ୟା ମାମଲାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମୁଖ୍ୟ ଅଭିଯୁକ୍ତ ଶିକ୍ଷକ ସ୍ୱାଧୀନ ପ୍ରଧାନଙ୍କ ଗିରଫଦାରୀ ପରେ ବୌଦ୍ଧ ଏସ୍ପି ଏହି ହତ୍ୟାକାଣ୍ଡ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି। ଧାର ନେଇଥିବା ଟଙ୍କା ଫେରସ୍ତ କରିବାରେ ଅସମର୍ଥ ହେବାରୁ ସ୍ୱାଧୀନ ନିଜର ତିନିଜଣ ସହଯୋଗୀଙ୍କ ସହ ମିଶି ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ସୂଚନା ଦେଇଛି।
ପୋଲିସର ସୂଚନା ଅନୁଯାୟୀ, ଟଙ୍କା ଫେରସ୍ତ କରିବାର ବାହାନା କରି ସ୍ୱାଧୀନ ବ୍ୟବସାୟୀ ବୀରୁପାକ୍ଷଙ୍କୁ କଦଳୀଗଡ଼ ତନ୍ତଗାଡ଼ ଜଙ୍ଗଲକୁ ଡାକି ନେଇଥିଲେ। ସେଠାରେ ତାଙ୍କୁ ବାନ୍ଧି ଦେବା ପରେ ବାଉଁଶରେ ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିଲେ। ଏପରିକି ବୀରୁପାକ୍ଷ ବଞ୍ଚିଯିବାର ଆଶଙ୍କା କରି ମୁଖ୍ୟ ଅଭିଯୁକ୍ତ ଶେଷରେ ତାଙ୍କ ତଣ୍ଟି କାଟି ଦେଇଥିବା ବୌଦ୍ଧ ଏସ୍ପି ପ୍ରକାଶ କରିଛନ୍ତି।
ଅନ୍ୟପଟେ, ହତ୍ୟାକାଣ୍ଡ ପରେ ମୁଖ୍ୟ ଅଭିଯୁକ୍ତ ସ୍ୱାଧୀନ ପ୍ରଧାନଙ୍କୁ ପୋଲିସ ଗିରଫରୁ ରକ୍ଷା କରିବା ପାଇଁ ଜଣେ ପୋଲିସ କର୍ମଚାରୀ ସହଯୋଗ କରିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ବୌଦ୍ଧ ଥାନାର ହାବିଲଦାର ଦିଗନ୍ତ ପ୍ରଧାନ, ଯିଏକି ସମ୍ପର୍କରେ ସ୍ୱାଧୀନଙ୍କ ଶାଳକ, ତାଙ୍କୁ ବଘିଆପଡ଼ା ଜଙ୍ଗଲରେ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗିରଫ ହେବା ପରେ ହାବିଲଦାର ଦିଗନ୍ତ ନିଜର ଦୋଷ ସ୍ୱୀକାର କରିଥିବା ବୌଦ୍ଧ ଏସ୍ପି ସୂଚନା ଦେଇଛନ୍ତି।
ଏହି ଘଟଣାକୁ ନେଇ ବୌଦ୍ଧ ଜିଲ୍ଲାରେ ତୀବ୍ର ଚର୍ଚ୍ଚା ସୃଷ୍ଟି ହୋଇଛି। ଜଣେ ଶିକ୍ଷକଙ୍କ ଦ୍ୱାରା ଏଭଳି ଜଘନ୍ୟ ହତ୍ୟା ଏବଂ ଅଭିଯୁକ୍ତଙ୍କୁ ଲୁଚାଇବାରେ ଜଣେ ପୋଲିସ କର୍ମଚାରୀଙ୍କ ସମ୍ପୃକ୍ତି ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠାଇଛି।






