ଏ.କେ ବ୍ୟୁରୋ : ମାଦକ ଦ୍ରବ୍ୟ କାରବାର ବିରୋଧରେ ଅନୁଗୋଳ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ହାଣ୍ଡପା ଥାନା ଅନ୍ତର୍ଗତ ଅଞ୍ଚଳରେ ପୋଲିସ ଦୁଇଟି ଅଲଗା ଅଲଗା ଚଢ଼ାଉ କରି ମୋଟ ୭୩ କିଗ୍ରା ୭୦ ଗ୍ରାମ ସନ୍ଦିଗ୍ଧ ଗଞ୍ଜାଇ ଜବତ କରିବାରେ ସଫଳ ହୋଇଛି। ଏହି ଦୁଇଟି ମାମଲାରେ ପୋଲିସ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ନେବାରେ ଜଣାଯାଏ କି ହାଣ୍ଡପା ଥାନା ଅଧିକାରୀ ଇନ୍ସପେକ୍ଟର ରାଜେଶ କୁମାର ଶତପଥୀଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ବାଣୀନାଳୀ ଗ୍ରାମରେ ଚଢ଼ାଉ କରିଥିଲା।
ଅରବିନ୍ଦ ପ୍ରଧାନ ଏବଂ ସଞ୍ଜୟ ପ୍ରଧାନଙ୍କ ଘର ପଛପଟେ ଥିବା ଷ୍ଟୋର ରୁମ୍ରୁ ଦୁଇଟି ବସ୍ତାରେ ସମୁଦାୟ ୫୧.୦୭୦ କିଗ୍ରା ନିଟ୍ ଓଜନର ଗଞ୍ଜାଇ ଜବତ ହୋଇଛି। ତତ ସହିତ ୨ଟି ମୋବାଇଲ୍ ଫୋନ୍ ଏବଂ ନଗଦ ୩,୦୦୦/- ଟଙ୍କା। ଅରବିନ୍ଦ ପ୍ରଧାନ (୨୦) ସଞ୍ଜୟ ପ୍ରଧାନ (୫୦) ଙ୍କୁ ଗିରଫ କରି କିଶୋରନଗର ତହସିଲଦାର ତଥା କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଶ୍ରୀ ରଞ୍ଜନ କୁମାର ସାହୁଙ୍କ ଉପସ୍ଥିତିରେ ଜବତ ସାମଗ୍ରୀ ଯାଞ୍ଚ ଓ ସିଲ୍ କରାଯାଇଥିଲା। ଏନେଇ ହାଣ୍ଡପା ଥାନା କେସ୍ ନଂ ୪୨୧/୨୦୨୬, ଧାରା 20(b)(ii)(C) NDPS Act ଅନୁଯାୟୀ ମାମଲା ରୁଜୁ ହୋଇଛି। ସେହିପରି ଅନ୍ୟ ଏକ ପୃଥକ ଅପରେସନରେ ବଇଣ୍ଡା ରେଳ ଷ୍ଟେସନ୍ ରୋଡ୍ରୁ ଜଣେ ଯୁବକଙ୍କୁ ଏକ ଟ୍ରଲି ବ୍ୟାଗ୍ ସହ ଅଟକାଯାଇଥିଲା। ତଦନ୍ତ ପରେ ଉକ୍ତ ବ୍ୟାଗ ରୁ ୨୧ଟି ପ୍ୟାକେଟ୍ରେ ଥିବା ସମୁଦାୟ ୨୨ କିଗ୍ରା ନିଟ୍ ଗଞ୍ଜାଇ ଜବତ କରାଯାଇଛି।
ତତ ସହିତ ଗୋଟିଏ ଓପୋ (OPPO A5) ମୋବାଇଲ୍ ଏବଂ ନଗଦ ୧,୨୫୦/- ଟଙ୍କା। ଜବତ କରାଯିବା ସହ ଆସାମୀ ବିକାଶ ବେହେରା (୧୯, ବାରେଇଣୀ) ବିଭୂତି ମୁଖୀ (୪୦, କଦଳୀମୁଣ୍ଡା – ମୁଖ୍ୟ ଯୋଗାଣକାରୀ) ଗିରଫ କରାଯାଇ ହଣ୍ଡପା ଥାନା କେସ୍ ନଂ ୪୨୦/୨୦୨୬, ଧାରା 20(b)(ii)(C) NDPS Act ଅନୁଯାୟୀ ମାମଲା ରୁଜୁ ହୋଇଛି l ମାଦକ ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ରୂପେ ଦମନ କରିବା ପାଇଁ ଅନୁଗୋଳ ପୋଲିସର ଏପରି ନିରନ୍ତର ଅଭିଯାନ ଜାରି ରହିବ। ଏହି ବେଆଇନ କାରବାରର ମୂଳ ଉତ୍ସ ଏବଂ ଏଥିସହ ଜଡ଼ିତ ଅନ୍ୟ ସମସ୍ତ ଅପରାଧୀଙ୍କୁ ଖୁବ୍ ଶୀଘ୍ର ଆଇନଗତ ପରିସରକୁ ଅଣାଯିବ ବୋଲି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଶାନ୍ତ କୁମାର ତାଉଡ଼ିଆ ସୂଚନା ପ୍ରଦାନ କରିଛନ୍ତି






