ଏ.କେ ବ୍ୟୁରୋ : ଜେକେପୁର ଅମଲାଭଟ୍ଟା ଛକଠାରୁ ବିଷମକଟକ ଦେଇ ଥେରୁବାଲି ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଦୁରବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବାରୁ ଯାତାୟାତରେ ସମସ୍ୟା ଉପୁଜିବା ସହ ଦୁର୍ଘଟଣାର ଆଶଙ୍କା ରହୁଥିବା ଅଭିଯୋଗ ହୋଇଛି।
ଏନେଇ ଚାନ୍ଦିଲି ଥାନା ଅନ୍ତର୍ଗତ ଥେରୁବାଲି ଫାଣ୍ଡିରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଲିଖିତ ଅଭିଯୋଗ ଦିଆଯାଇଥିବା ଜଣାପଡ଼ିଛି। ଚାନ୍ଦିଲି ଥାନା ଅନ୍ତର୍ଗତ ବୁଜିଗୁଡ଼ା ଗ୍ରାମର ତଥା ଥେରୁବାଲି ନାଗରିକ ମଞ୍ଚର ସଭାପତି ଅଶୋକ ହିକକା ଥେରୁବାଲି ଫାଣ୍ଡିରେ ଏହି ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଜେକେପୁରଠାରୁ ବିଷମକଟକ ଦେଇ ଥେରୁବାଲି ପର୍ଯ୍ୟନ୍ତ ରାସ୍ତାର ଅନେକ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ହୋଇଛି। ଏହାଦ୍ୱାରା ଭାରୀଯାନ ଚଳାଚଳ ସମୟରେ ସମସ୍ୟା ସୃଷ୍ଟି ହେବା ସହ କେତେକ ସମୟରେ ଦୁର୍ଘଟଣା ଓ ଯାତାୟାତ ବାଧାପ୍ରାପ୍ତ ହେଉଥିବା ସେ ଦର୍ଶାଇଛନ୍ତି। ରାସ୍ତାର ଏଭଳି ସ୍ଥିତି ଯୋଗୁଁ ସ୍ଥାନୀୟ ଲୋକଙ୍କ ସମେତ କମ୍ପାନୀ କର୍ମଚାରୀ, ଛାତ୍ରଛାତ୍ରୀ ଓ ସରକାରୀ କର୍ମଚାରୀମାନେ ଯାତାୟାତରେ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି।
ଜରୁରୀକାଳୀନ ସେବା ମଧ୍ୟ ପ୍ରଭାବିତ ହେଉଥିବା ଅଭିଯୋଗକାରୀ କହିଛନ୍ତି। ଏନେଇ ପୂର୍ବରୁ ଅଞ୍ଚଳବାସୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ସମ୍ପୃକ୍ତ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ଆଶାନୁରୂପ ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ରହିଛି। ଏହି ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ହୋଇଥିବାରୁ ରାସ୍ତାର ଦୁରବସ୍ଥା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ମରାମତି ଓ ନିର୍ମାଣ କାର୍ଯ୍ୟ କରିବାକୁ ଅଭିଯୋଗକାରୀ ଦାବି କରିଛନ୍ତି। ଏଥିସହ ରାସ୍ତା ସମସ୍ୟାର ସମାଧାନ ନହେଲେ ୧୫ ଦିନ ପରେ ଗଣଆନ୍ଦୋଳନ କରାଯିବ ବୋଲି ଏତଲାରେ ଚେତାବନୀ ଦିଆଯାଇଛି। ଥେରୁବାଲି ଡିପି କ୍ୟାମ୍ପ ନିକଟରେ ରାଜ୍ୟ ରାଜପଥ ଅବରୋଧ କରାଯିବ ବୋଲି ମଧ୍ୟ ଦର୍ଶାଯାଇଛି। ଏତଲା ଦାଖଲ ସମୟରେ ନିର୍ମାଣ ମହାସଂଘର ସଭାପତି ନିରଞ୍ଜନ ପାତ୍ର, ଭବାନୀ ଶଙ୍କର ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ତେବେ ଅଭିଯୋଗ ସମ୍ପର୍କରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ଜଣାପଡ଼ିଛି।






