ଏ.କେ ବ୍ୟୁରୋ : ଆସାମ କ୍ୟାବିନେଟ୍ର ମଞ୍ଜୁରୀ ମିଳିବାର ଦୁଇ ସପ୍ତାହ ପରେ ରାଜ୍ୟ ସରକାର ବିଧାନସଭାରେ ସମାନ ନାଗରିକ ସଂହିତା ବିଲ୍ ଆଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅତୁଲ ବୋରା ବିଧାନସଭାରେ ‘ସମାନ ନାଗରିକ ସଂହିତା ଆସାମ ୨୦ Meny ବିଲ୍’ (Uniform Civil Code Assam 2026 Bill) ଉପସ୍ଥାପନ କରିଛନ୍ତି।
ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ମେ ୨୭ ତାରିଖରେ ଆଲୋଚନା ଏବଂ ଏହାକୁ ପାରିତ କରାଯିବାର ସମ୍ଭାବନା ରହିଛି। ଅପରପକ୍ଷରେ କଂଗ୍ରେସ, ରାଇଜୋର ଦଳ (Raijor Dal) ଏବଂ ତୃଣମୂଳ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏହି ପଦକ୍ଷେପକୁ ବିରୋଧ କରିଛନ୍ତି ଏବଂ ବିଲ୍ ଆଗତ କରିବା ପୂର୍ବରୁ ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ସହ ବ୍ୟାପକ ଆଲୋଚନା କରାଯିବା ଉଚିତ ବୋଲ୍ ଦାବି କରିଛନ୍ତି।
ବିଧେୟକର ‘ଉଦ୍ଦେଶ୍ୟ ଏବଂ କାରଣର ବିବରଣୀ’ରେ ସିଏମ୍ ଶର୍ମା କହିଛନ୍ତି ଯେ ଏହି ବିଲ୍ର ଉଦ୍ଦେଶ୍ୟ ହେଉଛି ବିବାହ, ଛାଡ଼ପତ୍ର, ଉତ୍ତରାଧିକାର ଏବଂ ଲିଭ୍-ଇନ୍ ରିଲେସନସିପ୍ ସହ ଜଡ଼ିତ ଆଇନକୁ ଏକତ୍ରିତ ତଥା ସରଳ କରିବା। ସେ କହିଛନ୍ତି ଯେ ବିବାହ ପାଇଁ ଏହି ବିଲ୍ ପୁରୁଷ ଓ ମହିଳାଙ୍କ ପାଇଁ ସର୍ବନିମ୍ନ ବୟସ ଯଥାକ୍ରମେ ୨୧ ବର୍ଷ ଏବଂ ୧୮ ବର୍ଷ ଧାର୍ଯ୍ୟ କରିବା ସହ ବହୁବିବାହ ଉପରେ ରୋକ୍ ଲଗାଉଛି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିଲ୍ ବିବାହକୁ ପ୍ରଚଳିତ ଧାର୍ମିକ ଏବଂ ପାରମ୍ପରିକ ରୀତିନୀତି ଅନୁଯାୟୀ ସମ୍ପନ୍ନ କରିବାକୁ ଅନୁମତି ଦେଇ ଆସାମର ସାଂସ୍କୃତିକ ବିବିଧତାକୁ ରକ୍ଷା କରିଥାଏ। ଆଇନଗତ ଅଧିକାରର ସୁରକ୍ଷା ପାଇଁ ବିଧେୟକରେ ବିବାହ ଏବଂ ଛାଡ଼ପତ୍ରର ପଞ୍ଜୀକରଣକୁ ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ ଦିଆଯାଇଛି, ଯାହା ସ୍ୱାମୀ-ସ୍ତ୍ରୀଙ୍କ ଭରଣପୋଷଣ, ଉତ୍ତରାଧିକାର ଏବଂ ଅନ୍ୟାନ୍ୟ ଆଇନଗତ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରଥମ ଥର ପାଇଁ ଏହି ବିଲ୍ ଲିଭ୍-ଇନ୍ ସମ୍ପର୍କ ପାଇଁ ଏକ ଆଇନଗତ ଢାଞ୍ଚା ପ୍ରଦାନ କରୁଛି। ପଞ୍ଜୀକରଣକୁ ବାଧ୍ୟତାମୂଳକ କରି ଏହି ଆଇନ ସୁନିଶ୍ଚିତ କରେ ଯେ ପାର୍ଟନରମାନଙ୍କ ଅଧିକାର ଏବଂ ଏଭଳି ସମ୍ପର୍କରୁ ଜନ୍ମ ହେଉଥିବା ଯେକୌଣସି ସନ୍ତାନର ଅଧିକାରକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ମିଳିବ ଓ ସେମାନଙ୍କର ସୁରକ୍ଷା ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ବିଲ୍ ଆସାମରେ ରହୁଥିବା କୌଣସି ଅନୁସୂଚିତ ଜନଜାତି (Scheduled Tribes) ଙ୍କ ଉପରେ ଲାଗୁ ହେବ ନାହିଁ।
ସେ କହିଛନ୍ତି ଯେ ୟୁସିସି (UCC) ର ଉଦ୍ଦେଶ୍ୟ ହେଉଛି ଉତ୍ତରାଧିକାର ଆଇନର ଆଧୁନିକୀକରଣ କରିବା ଯେପରି ସମ୍ପତ୍ତିର ନିରପେକ୍ଷ ଏବଂ ସମାନ ବଣ୍ଟନ ସୁନିଶ୍ଚିତ କରାଯାଇପାରିବ। ଏହା ଉତ୍ତରାଧିକାର ପାଇଁ ଏକ ସମାନ ନିୟମ ଲାଗୁ କରେ, ଯାହା ଦ୍ୱାରା ରାଜ୍ୟର ସମସ୍ତ ବାସିନ୍ଦାଙ୍କ ପାଇଁ ସମ୍ପତ୍ତି ହସ୍ତାନ୍ତର ନ୍ୟାୟସଙ୍ଗତ ଭାବେ କରାଯାଇପାରିବ।

ଆଇନର ପାଞ୍ଚଟି ମୁଖ୍ୟ କଥା
୧. ବହୁବିବାହ ଉପରେ ପୂର୍ଣ୍ଣ ପ୍ରତିବନ୍ଧକ: ରାଜ୍ୟରେ ଏକରୁ ଅଧିକ ବିବାହ କରିବା ପ୍ରଥାକୁ ସମ୍ପୂର୍ଣ୍ଣ ଭାବେ ବେଆଇନ ଘୋଷଣା କରାଯିବ।
୨. ବିବାହର ସମାନ ସର୍ବନିମ୍ନ ବୟସ: ବିବାହ ପାଇଁ ପୁରୁଷ ଏବଂ ମହିଳା ଉଭୟଙ୍କ ପାଇଁ ସମାନ ଆଇନଗତ ବୟସ ନିୟମ ଲାଗୁ ହେବ।
୩. ବିବାହ ଏବଂ ଛାଡ଼ପତ୍ରର ବାଧ୍ୟତାମୂଳକ ପଞ୍ଜୀକରଣ: ପ୍ରତ୍ୟେକ ବିବାହ ଏବଂ ଛାଡ଼ପତ୍ରକୁ ସରକାରୀ ରେକର୍ଡରେ ପଞ୍ଜୀକୃତ କରିବା ଜରୁରୀ ହେବ।
୪. ମହିଳାମାନଙ୍କୁ ସମାନ ସମ୍ପତ୍ତି ଅଧିକାର: ପୈତୃକ ସମ୍ପତ୍ତି ଏବଂ ଉତ୍ତରାଧିକାରରେ ପୁଅମାନଙ୍କ ସହ ସମାନ ଭାବେ ଝିଅମାନଙ୍କୁ ମଧ୍ୟ ଅଧିକାର ଦିଆଯିବ।
୫. ଲିଭ୍-ଇନ୍ ସମ୍ପର୍କ ପାଇଁ ନିୟମ: ବିବାହ ନକରି ଏକାଠି ରହୁଥିବା ଦମ୍ପତିଙ୍କ ପାଇଁ ପଞ୍ଜୀକରଣ ଏବଂ ଆଇନଗତ ନିୟମ ପାଳନ କରିବା ବାଧ୍ୟତାମୂଳକ ହେବ।
UCC ଲାଗୁ କରିବାରେ ଆସାମ ହେବ ତୃତୀୟ ରାଜ୍ୟ
ଯଦି ଏହି ବିଧେୟକ ପାରିତ ହୁଏ, ତେବେ ଉତ୍ତରାଖଣ୍ଡ ଏବଂ ଗୁଜରାଟ ପରେ ଆସାମ ୟୁସିସି ଆଇନ ଲାଗୁ କରିବାରେ ଦେଶର ତୃତୀୟ ରାଜ୍ୟ ପାଲଟିବ। ଉତ୍ତରାଖଣ୍ଡ ୨୦୨୪ ମସିହାରେ ୟୁସିସି ଲାଗୁ କରିଥିଲା ଏବଂ ଏହା ସହିତ ସମ୍ବିଧାନର ନିର୍ଦ୍ଦେଶାତ୍ମକ ନୀତି (DPSP) ଅଧୀନରେ ଏଭଳି ଆଇନ ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟ ହୋଇଥିଲା। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୪୪ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଥାଏ ଯେ ସେମାନେ ସମଗ୍ର ଦେଶର ନାଗରିକମାନଙ୍କ ପାଇଁ ଏକ ସମାନ ନାଗରିକ ସଂହିତା ଲାଗୁ କରିବାକୁ ପ୍ରୟାସ କରିପାରିବେ।
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






