ଏ.କେ ବ୍ୟୁରୋ : କଟକ ଜିଲ୍ଲା ମର୍କତନଗର ଥାନା ଅନ୍ତର୍ଗତ ସିଡିଏ ସେକ୍ଟର-୧୧ ଅଞ୍ଚଳରେ ରବିବାର ଦିନ ଜଣେ ମହିଳାଙ୍କୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ସୂଚନା ଅନୁଯାୟୀ, ମୃତ ଫୁଲ କୁମାରୀ ଙ୍କ ସ୍ୱାମୀ ରାଉରକେଲାରେ ରହୁଥିବା ବେଳେ ସେ ତାଙ୍କର ଦୁଇ ପିଲାଙ୍କ ସହ ଏଠାରେ ରହୁଥିଲେ। 
ଘଟଣା ଦିନ ସେକ୍ଟର-୧୩ ଅଞ୍ଚଳରେ ବୁଲାବୁଲି କରୁଥିବା ନନ୍ଦୁ ନାମକ ଯୁବକ ଓ ଅନ୍ୟ କେତେକ ଯୁବକଙ୍କ ସହ ଏକାଠି ବସି ମଦ୍ୟପାନ କରିଥିଲେ। ମଦ୍ୟପାନ ପରେ ନିଶାସକ୍ତ ଅବସ୍ଥାରେ ସେମାନେ ସେକ୍ଟର-୧୧ ନଦୀକୂଳ ବସ୍ତିରେ ଥିବା ଏକ ଶୂନଶାନ ଭଙ୍ଗା ଘରକୁ ଯାଇଥିଲେ। କିଛି ସମୟ ପରେ ସେହି ଶୂନଶାନ ଘର ଭିତରୁ କିଛି ପାଟିତୁଣ୍ଡ ଶୁଣାଯାଇଥିଲା। ପରେ ଜଣେ ଲୋକ ସେହି ଘର ଭିତରକୁ ଯିବା ସମୟରେ ପ୍ରମିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କ ମୁଣ୍ଡକୁ ଏକ ବଡ଼ ପଥରରେ ଛେଚି ହତ୍ୟା କରାଯାଇଥିବା ସ୍ପଷ୍ଟ ଜଣାପଡ଼ୁଥିଲା। ସ୍ଥାନୀୟ ଲୋକେ ତୁରନ୍ତ ମର୍କତନଗର ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି। ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଏବଂ ମୁଖ୍ୟ ସନ୍ଦିଗ୍ଧ ନନ୍ଦୁକୁ ଅଟକ ରଖିଛି।
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକଙ୍କ ରିପୋର୍ଟ ଆପଣଙ୍କ ଖବର






