ଏ.କେ ବ୍ୟୁରୋ : ଏସୀୟ କ୍ରୀଡ଼ା ୨୦୨୬ରେ ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ମିଳିଛି । ଭାରତ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ ଇଭେଣ୍ଟରେ କମଲଜିତ ଏବଂ ସୁରୁଚି ଇନ୍ଦର ସିଂଙ୍କ ଯୋଡି ଜବରଦସ୍ତ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଛି । ମହିଳା କ୍ରିକେଟରେ ସ୍ୱର୍ଣ୍ଣ ପଦକ ପରେ ସୁଟିଂରେ ସ୍ବର୍ଣ୍ଣ ଜିତିଛି ।
ଆଇଚି-ନାଗୋୟା ଗେମ୍ସର ଷଷ୍ଠ ଦିନ ୨ଟି ପଦକ ନିଶ୍ଚିତ ହେବା ସହିତ ଦିନଟି ଆରମ୍ଭ ହୋଇଥିଲା । ପ୍ରଥମ ଟେବୁଲ୍ ଟେନିସ୍ ମିକ୍ସଡ୍ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କରିଥିଲା । ତା’ପରେ ସ୍କ୍ୱାସ୍ ରେ, ମିକ୍ସଡ୍ ଡବଲ୍ସରେ ମଧ୍ୟ ପଦକ ସିଲ୍ କରାଯାଇ ଭାରତୀୟ ଯୋଡି ସେମିଫାଇନାଲରେ ପ୍ରବେଶ କରିଥିଲେ । ସୁଟିଂରେ କମଲଜିତ ଏବଂ ସୁରୁଚି ଇନ୍ଦର ସିଂଙ୍କ ଯୋଡି ଭାରତକୁ ଚଳିତ ଏସିଆନ ଗେମ୍ସରେ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି ।
ଫାଇନାଲରେ ଭାରତୀୟ ଯୋଡ଼ି ୪୮୪.୬ ସ୍କୋର୍ କରି ନୂଆ ଏସୀୟ ରେକର୍ଡ ସହ ଶୀର୍ଷ ସ୍ଥାନ ଦଖଲ କରିଥିଲେ । ପୂର୍ବ ରେକର୍ଡ ଉଜବେକିସ୍ତାନ ଯୋଡ଼ିଙ୍କ ନାମରେ ୪୮୧.୩ ଥିଲା । ଦକ୍ଷିଣ କୋରିଆର ସୁହିଓନ୍ ହଙ୍ଗ ଓ ଜାଏଉନ୍ ଚୋ ୪୭୮.୦ ସ୍କୋର୍ ସହ ରୌପ୍ୟ ଏବଂ ଇରାନର ବାହିଦ ଗୋଲଖାନ୍ଦନ ଓ ହାନିୟେ ରୋଷ୍ଟାମିୟାଁ କାଂସ୍ୟ ପଦକ ଜିତିଥିଲେ । ଭାରତୀୟ ଯୋଡିକୁ ଦକ୍ଷିଣ କୋରିଆ ସହିତ କଡ଼ା ଟକ୍କର ମିଳିଥିଲା । ତେବେ ଏସିଆନ ଗେମ୍ସରେ ଭାରତୀୟ ଟିମ୍ ୧୮ଟି ପଦକ ଜିତିସାରିଲାଣି । ଏଥିରେ ୨ଟି ସ୍ବର୍ଣ୍ଣ, ୮ଟି ସିଲଭର ଏବଂ ୯ଟି ବ୍ରୋଞ୍ଜ ରହିଛି । ମେଡାଲ ଟାଲି ତାଲିକାରେ ଭାରତ ୧୨ ନମ୍ବର ସ୍ଥାନରେ ରହିଛି ।






