ବୀରମହାରାଜପୁର, : ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସ୍ତରୀୟ ଗୋପବନ୍ଧୁ ସ୍ମାରକ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ସ୍ଥାନୀୟ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ ପରିସରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣରେ କାର୍ଯ୍ୟକ୍ରମଟି ଆକର୍ଷଣୀୟ ହୋଇଥିଲା।
ଚିତ୍ରାଙ୍କନ ପ୍ରତିଯୋଗିତାରେ ମୋଟ ୪୮ ଜଣ ଏବଂ କୁଇଜ୍ ପ୍ରତିଯୋଗିତାରେ ୩୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
କୁଇଜ୍ ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଶାଶ୍ୱତ ଶ୍ରୀଚନ୍ଦନ ଖମାରୀ ପ୍ରଥମ ସ୍ଥାନ, ଗାୟତ୍ରୀ ଆବାସିକ ଶିକ୍ଷା ନିକେତନର ଶୁଭଶ୍ରୀ ଦେହେରୀ ଦ୍ୱିତୀୟ ସ୍ଥାନ ଏବଂ ରୋସନ ବିଶ୍ୱାଳ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ସେହିପରି ଚିତ୍ରାଙ୍କନ ପ୍ରତିଯୋଗିତାରେ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନର ଦିବ୍ୟରଞ୍ଜନ ସାହୁ ପ୍ରଥମ ସ୍ଥାନ, ସରକାରୀ ପ୍ରାଥମିକ ବିଦ୍ୟାଳୟ, ବୁଠୀପଦରର ସୁବ୍ରତ ସୁନା ଦ୍ୱିତୀୟ ସ୍ଥାନ ଏବଂ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନର ସୌମ୍ୟରଞ୍ଜନ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଉଭୟ ବିଭାଗରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀମାନେ ଆଗାମୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ବ୍ଲକର ପ୍ରତିନିଧିତ୍ୱ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଚିତ୍ରାଙ୍କନ ପ୍ରତିଯୋଗିତାର ବିଚାରକ ଭାବେ ଶୁଭେନ୍ଦୁ ମେହେର ଏବଂ କୁଇଜ୍ ପ୍ରତିଯୋଗିତାର ବିଚାରକ ଭାବେ ପିତାମ୍ବର ସାହୁ ଦାୟିତ୍ୱ ତୁଲାଇଥିଲେ। ଦିନେଶ ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ଖେତି ଓ ବୀଣାପାଣି ଭୋଇ ପ୍ରତିଯୋଗିତାର ନିରୀକ୍ଷଣ ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରିଥିଲେ।
ଶେଷରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ସୁଦର୍ଶନ ବିଶ୍ୱାଳ, ଯୁଧିଷ୍ଠିର ଖମାରୀ ଓ ସୁଧୀର ବିଶ୍ୱାଳ, ପଙ୍କଜ ଖମାରୀ ପ୍ରମୁଖ ସହଯୋଗ କରିଥିଲେ। ବିଜୟୀ ପ୍ରତିଯୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଜିଲ୍ଲାସ୍ତରରେ ସଫଳତା କାମନା କରାଯାଇଥିଲା।






