ଅବୈଧ ଗୋରୁ ଚାଲାଣ ନେଟୱର୍କ ବିରୋଧରେ ଅନୁଗୋଳ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ। ହଣ୍ଡପା ଥାନା ଅଞ୍ଚଳର ଉରୁକୁଳା ଛକ ନିକଟରେ ୩୪ଟି ଗୋରୁଙ୍କୁ ଅବୈଧ ଭାବେ ଚାଲାଣ କରାଯାଉଥିବା ଘଟଣାର ତଦନ୍ତକୁ ଆଗକୁ ବଢ଼ାଇ ପୋଲିସ ଆଉ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଫଳରେ ଏହି ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୧୫ରେ ପହଞ୍ଚିଛି। ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ, ବିଭିନ୍ନ ଗ୍ରାମାଞ୍ଚଳରୁ ଗୋରୁ ସଂଗ୍ରହ କରାଯାଇ ସେମାନଙ୍କୁ ଅସ୍ଥାୟୀ ଭାବେ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଉଥିଲା।
ପରେ ସଂଗଠିତ ଭାବେ ସେଗୁଡ଼ିକୁ ଅନ୍ତଃରାଜ୍ୟ ଚାଲାଣ କରାଯାଉଥିବା ତଥ୍ୟ ତଦନ୍ତରେ ସାମ୍ନାକୁ ଆସିଛି। ସେପ୍ଟେମ୍ବର ୨୩ ତାରିଖରେ ଗିରଫ ହୋଇଥିବା ୮ ଜଣଙ୍କ ମଧ୍ୟରେ ଅନ୍ତଃରାଜ୍ୟ ପରିବହନ ଓ ଲଜିଷ୍ଟିକ୍ସ ସମନ୍ୱୟ, ସ୍ଥାନୀୟ ଭାବେ ଗୋରୁ ସଂଗ୍ରହ ଓ ଅସ୍ଥାୟୀ ଭାବେ ରଖିବା, ଯାତାୟାତ ସହାୟତା ଏବଂ ରୁଟ୍ ସମନ୍ୱୟ ଭଳି ବିଭିନ୍ନ ଭୂମିକାରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି।
ତଦନ୍ତ ବେଳେ ଅଗଷ୍ଟ ମାସର ଶେଷ ସପ୍ତାହ ଏବଂ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ସମାନ ଧରଣର ଏକାଧିକ ଗୋରୁ ଚାଲାଣ ହୋଇଥିବା ସମ୍ପର୍କରେ ମଧ୍ୟ ପୋଲିସକୁ ତଥ୍ୟ ମିଳିଛି। ଗିରଫ ହୋଇଥିବା ସମସ୍ତ ୮ ଜଣ ଅଭିଯୁକ୍ତଙ୍କୁ ୨୩ ସେପ୍ଟେମ୍ବରରେ ଅଦାଲତରେ ହାଜର କରାଯାଇଛି। ଏହି ନେଟୱର୍କ ସହ ଜଡ଼ିତ ଅନ୍ୟ ବ୍ୟକ୍ତି, ଚାଲାଣକାରୀ, ପରିବହନ ସହଯୋଗୀ ଓ ଅନ୍ୟ ସହଯୋଗୀଙ୍କୁ ଚିହ୍ନଟ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ତଦନ୍ତ ଜାରି ରଖିଛି। ଏଥିସହ ନେଟୱର୍କର ଆର୍ଥିକ ଓ ଯୋଗାଯୋଗ ସମ୍ପର୍କିତ ତଥ୍ୟ ମଧ୍ୟ ଯାଞ୍ଚ କରାଯାଉଛି। ଅନୁଗୋଳ ପୋଲିସ ପକ୍ଷରୁ ଅବୈଧ ଗୋରୁ ଚାଲାଣ ଓ ପଶୁଙ୍କ ପ୍ରତି ନିର୍ଯାତନା ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯାଉଥିବା କୁହାଯାଇଛି। ନେଟୱର୍କରେ ସମ୍ପୃକ୍ତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ପୋଲିସ କହିଛି।






