ଏ.କେ ବ୍ୟୁରୋ : ଘରେ କଳା କନା ବୁଲାଇ ଦେଲା ସହାୟିକା । ଘରୋଇ ସହାୟିକାର ସାତିର ଦିମାଗ୍ । ମାଲିକାଣୀଙ୍କ ସରଳତାର ସୁଯୋଗ ନେଇ ସବୁକିଛି ଲୁଟପାଟ କରିଥିଲା । ଘରୋଇ ସହାୟିକା ହୋଇ ଆସିଲା, ହେଲେ ମାଲିକାଣୀଙ୍କ ବିଶ୍ୱାସରେ ବିଷ ଦେଇ ଘର ଖାଲି କରିଦେଲା । ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଦୁଇଟି ଘରୁ ସୁନା, ରୁପା, ଦାମୀ ଶାଢ଼ୀ ସହ ବିଭିନ୍ନ ସାମଗ୍ରୀ ଚୋରି ଅଭିଯୋଗ ।
କାନନ ବିହାର ଓ ହାଉସିଂ ବୋର୍ଡରୁ ଆସିଥିଲା ଚୋରି ଅଭିଯୋଗ । ବିଶ୍ୱାସ କରି ଘରେ ରଖିଥିଲେ ମାଲିକାଣୀ, ହେଲେ ସେହି ବିଶ୍ୱାସର ସୁଯୋଗ ନେଇ ଦୁଇଟି ଘରୁ ଲୁଟି ନେଇଥିଲା ପ୍ରିୟଙ୍କା ରାଉଳ । ରଶ୍ମୀପ୍ରଭା ବେହୁରାଙ୍କ ଅଭିଯୋଗ ପରେ ତଦନ୍ତ କରି ପ୍ରିୟଙ୍କାକୁ ଗିରଫ କରି କୋର୍ଟଚାଲାଣ କରିଛି ଚନ୍ଦ୍ରଶେଖରପୁର ପୋଲିସ । ତା’ ଠାରୁ ପ୍ରାୟ ୨୦୦ ଗ୍ରାମ ସୁନା, ରୁପା, ଦାମୀ ଶାଢ଼ୀ, ବାସନ, ଦାମୀ ଘଣ୍ଟା ଆଦି ଚୋରି ସାମଗ୍ରୀ ଜବତ ହୋଇଛି ।
ଦୁଇଟି ଘରୁ ଚୋରି ଅଭିଯୋଗ ପରେ ପୋଲିସର ଛାନଭିନ୍ ଆରମ୍ଭ ହୋଇଥିଲା । ତଦନ୍ତ ବେଳେ ଘରୋଇ ସହାୟିକା ପ୍ରିୟଙ୍କା ଉପରେ ସନ୍ଦେହ ହୋଇଥିଲା । ଯାଞ୍ଚ ପରେ ତା’ ନିକଟରୁ ଚୋରି ସାମଗ୍ରୀ ମିଳିବା ପରେ ମାମଲାର ଖିଅ ମିଳିଥିଲା । ଏବେ ପୋଲିସ ଖୋଜୁଛି ଖାଲି ଏହି ଦୁଇଟି ଘର ଥିଲା ଟାର୍ଗେଟ୍, ନା ଆଉ କାହା ଘରେ ମଧ୍ୟ ସମାନ ଢଙ୍ଗରେ ଚୋରି କରିଛି ପ୍ରିୟଙ୍କା ?
ସେନେଇ ତଦନ୍ତ ଜାରି ରହିଛି । ରାଜଧାନୀରେ ଘରୋଇ ସହାୟିକାକୁ ବିଶ୍ୱାସ କରି ଘରେ ରଖିବା ପୂର୍ବରୁ ଏବେ ସାବଧାନ ହେବାର ସମୟ । ବିଶେଷକରି ଘରେ ସିନିୟର ସିଟିଜେନ୍ କିମ୍ବା ସିଙ୍ଗଲ୍ ଲେଡି ରହୁଥିଲେ, ସହାୟିକାଙ୍କ ପରିଚୟ, ଠିକଣା ଓ ପୂର୍ବ ରେକର୍ଡ ଯାଞ୍ଚ କରିବା ଜରୁରୀ । କ୍ୟାରେକ୍ଟର ଓ ପରିଚୟ ଯାଞ୍ଚ ପରେ ହିଁ ଘରେ ସହାୟିକା ରଖନ୍ତୁ। ନଚେତ୍ ବିଶ୍ୱାସର ସୁଯୋଗ ନେଇ ଘର ଖାଲି କରିଦେଇପାରନ୍ତି ଏଭଳି ଚୋର ।






