ଏ.କେ ବ୍ୟୁରୋ : ରାୟଗଡ଼ା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଭାନୁମତୀପୁର ଗ୍ରାମ ମୁଖ୍ୟ ରାସ୍ତାରେ ଟ୍ରାକ୍ଟର ସହ ବାଇକ ମୁହାଁ ମୁହିଁ ହେବା ଫଳରେ ଜଣ ଯୁବକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଯୁବକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଯୁବକ ଜଣକ ଗୁଣପୁର ବ୍ଲକ ଗାଇଲୁଙ୍ଗ ଗ୍ରାମର ଇମିଆସ୍ ରଇତ ଓ ଗୁରୁତର ଭାବେ ଆହତ ଯୁବକ ମାନେ ହେଲେ ସାମସନ ରଇତ ଓ ମାଲେଶ ରଇତ ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ , ମୃତ ଇମିଆସ କୌଣସି ଏକ କାମରେ ଗୁଣପୁର ଆସି ବିଳମ୍ବିତ ରାତିରେ ବାଇକ ଯୋଗେ ଅନ୍ୟ ଦୁଇ ସମ୍ପର୍କୀୟ ଭାଇଙ୍କ ସହ ଜବରଗୁଡ଼ା ଗ୍ରାମକୁ ଯିବା ସମୟରେ ଭାନୁମତିପୁର ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ସହ ମୁହାଁ ମୁହିଁ ହୋଇଥିଲା ।ଫଳରେ ଦୁର୍ଘଟଣାରେ ବାଇକ ଚାଳକଙ୍କ ସହ ଅନ୍ୟ ଦୁଇ ଯୁବକ ଗୁରୁତର ଭାବେ ଆହତ ହୋଇଥିଲେ । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିବା ବେଳେ ଇମିଆସ୍ ରଇତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୁଣପୁର ପୁଲିସ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ବାଇକକୁ ଜବତ କରି ତଦନ୍ତ ଜାରି ରଖିଛି । ଆଜି ମୃତକଙ୍କ ଶବକୁ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।






