ବଅଁରପାଳ, ୨୯/୮: ନାଲକୋ ଏକ ନବରତ୍ନ କମ୍ପାନୀ ହୋଇଥିଲେ ମଧ୍ୟ ଶ୍ରମିକଙ୍କ ସୁରକ୍ଷାକୁ ନେଇ ଅବହେଳା କରାଯାଉଥିବା ଅଭିଯୋଗ ଉଠିଛି। ନାଲକୋ ଇୟାର୍ଡ ନିକଟସ୍ଥ ବୁଢ଼ାପଙ୍କ ଷ୍ଟେସନ ଅଞ୍ଚଳରେ ଘଟିଥିବା ଏକ ଦୁର୍ଘଟଣା ଏହି ଅଭିଯୋଗକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି।
ସୂଚନା ଅନୁସାରେ, ନାଲକୋରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଡ୍ରାଇଭର ଦାମୋଦର ସାହୁ (୫୮) ଟ୍ରେନ୍ ଝଟକା ଦେବାରୁ ତଳେ ଖସିପଡ଼ିଥିଲେ। ଏହି ସମୟରେ ତାଙ୍କ ହାତ ରେଳଧାରଣା ଉପରେ ରହିଯିବାରୁ ଟ୍ରେନ୍ ଚକା ତଳେ ପଡ଼ି ହାତଟି ଦୁଇ ଖଣ୍ଡ ହୋଇଯାଇଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଟ୍ରେନ୍ ଯୋଗେ ନାଲକୋ ହସ୍ପିଟାଲକୁ ନେଇ ଭର୍ତ୍ତି କରାଯାଇଥିଲା।
ସୂଚନା ମୁତାବକ, ଟ୍ରେନ୍ର ୭ ନମ୍ବର ୟାର୍ଡରେ BCN ଗାଡ଼ିକୁ କାଟି ଡବାଠାରୁ ଇଞ୍ଜିନକୁ ଅଲଗା କରି ରଖାଯାଇଥିଲା। ଆସିଷ୍ଟାଣ୍ଟ ଡ୍ରାଇଭର ଦାମୋଦର ସାହୁ ଇଞ୍ଜିନ ଆଗକୁ ଯାଇ କିଟ୍ ଆଣିବାକୁ ଯାଇଥିବା ବେଳେ ହଠାତ୍ ଟ୍ରେନ୍ ଆଗକୁ ବଢ଼ିଥିଲା। ଫଳରେ ଇଞ୍ଜିନ୍ ତାଙ୍କୁ ଧକ୍କା ଦେବାରୁ ସେ ରେଳ ଲାଇନ୍ ମଝିରେ ପଡ଼ିଯାଇଥିଲେ। ଏହି ସମୟରେ ତାଙ୍କ ହାତ ରେଳଧାରଣା ଉପରେ ରହିଯାଇଥିବାରୁ ଇଞ୍ଜିନ୍ ଚକା ତଳେ ପଡ଼ି ହାତଟି କଟିଯାଇଥିଲା।

ଘଟଣା ପରେ ଆହତ ଶ୍ରମିକଙ୍କୁ ଆମ୍ବୁଲାନ୍ସ ବଦଳରେ ଟ୍ରେନ୍ ଯୋଗେ ହସ୍ପିଟାଲ ନିଆଯାଇଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଶ୍ରମିକଙ୍କ ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା, ଫାଷ୍ଟଏଡ୍ ବକ୍ସ ଓ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥା ନେଇ ମଧ୍ୟ ଅଭିଯୋଗ ହୋଇଛି।
ଏହି ଘଟଣାକୁ ନେଇ ନାଲକୋରେ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା କେତେ ସୁଦୃଢ଼, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏଥିସହ ନାଲକୋରେ ନିଯୁକ୍ତି ଓ ପଦୋନ୍ନତି ସମ୍ପର୍କିତ କିଛି ଅନିୟମିତତା ନେଇ ମଧ୍ୟ ସ୍ଥାନୀୟ ମହଲରେ ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗଗୁଡ଼ିକର ସ୍ୱାଧୀନ ଭାବେ ସତ୍ୟତା ଯାଞ୍ଚ ହୋଇନାହିଁ।
ଘଟଣାର ପ୍ରକୃତ କାରଣ କ’ଣ ଏବଂ ଦୁର୍ଘଟଣା ସମୟରେ ସୁରକ୍ଷା ନିୟମ ପାଳନ କରାଯାଇଥିଲା କି ନାହିଁ, ତାହାର ତଦନ୍ତ ପରେ ସ୍ପଷ୍ଟ ହେବ।
ଅନୁଗୋଳରୁ ଶ୍ୟାମଘନ ନାୟକଙ୍କ ରିପୋର୍ଟ, ଆପଣଙ୍କ ଖବର।






