ଏ.କେ ବ୍ୟୁରୋ : ଦୀପାବଳି ଆସିଲେ ସାରା ଦେଶରେ ଦେଖିବାକୁ ମିଳେ ଆଲୋକର ପର୍ବ । ଘରଠାରୁ ଆରମ୍ଭ କରି ବଜାର, ମନ୍ଦିର ଏବଂ ଐତିହାସିକ କୀର୍ତ୍ତିରାଜି ସବୁଠି ଦେଖିବାକୁ ମିଳେ ରଙ୍ଗବେରଙ୍ଗ ଆଲୋକର ସାଜସଜ୍ଜା । ଦୀପାବଳି ଆସିଲେ ସାରା ଦେଶରେ ଦେଖିବାକୁ ମିଳେ ଆଲୋକର ପର୍ବ । ଘରଠାରୁ ଆରମ୍ଭ କରି ବଜାର, ମନ୍ଦିର ଏବଂ ଐତିହାସିକ କୀର୍ତ୍ତିରାଜି ସବୁଠି ଦେଖିବାକୁ ମିଳେ ରଙ୍ଗବେରଙ୍ଗ ଆଲୋକର ସାଜସଜ୍ଜା । କେଉଁଠି ହଜାର ହଜାର ଦୀପରେ ଝଲସି ଉଠେ ନଦୀଘାଟ, ତ ଆଉ କେଉଁଠି ମା’ କାଳୀଙ୍କ ଭବ୍ୟ ପୂଜା ଓ ସୁନ୍ଦର ପେଣ୍ଡାଲ୍ ଆକର୍ଷଣ ସାଜେ । ତେବେ ଭାରତରେ ଏପରି କିଛି ସ୍ଥାନ ରହିଛି, ଯେଉଁଠି ଦୀପାବଳି ପାଳନର ଶୈଳୀ ସମ୍ପୂର୍ଣ୍ଣ ନିଆରା ।
ଅକ୍ଟୋବର-ନଭେମ୍ବର ମାସରେ ଅନେକ ସ୍ଥାନରେ ପାଗ ମଧ୍ୟ ବୁଲାବୁଲି ପାଇଁ ଅନୁକୂଳ ରହିଥାଏ । ତେଣୁ ଏଥର ଦୀପାବଳି ଛୁଟିରେ ପରିବାର କିମ୍ବା ସାଙ୍ଗସାଥୀଙ୍କ ସହ କେଉଁଠିକୁ ବୁଲିଯିବାକୁ ଯୋଜନା କରୁଥିଲେ, ଭାରତର ଏହି ୭ଟି ସ୍ଥାନକୁ ନିଜ ଟ୍ରାଭେଲ୍ ଲିଷ୍ଟରେ ସାମିଲ କରିପାରିବେ ।
୧. ଅଯୋଧ୍ୟା (ଉତ୍ତରପ୍ରଦେଶ): ଭଗବାନ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ଦୀପାବଳିର ରହିଛି ବିଶେଷ ମହତ୍ତ୍ୱ । ପ୍ରଭୁ ଶ୍ରୀରାମଙ୍କ ବନବାସ ପରେ ଅଯୋଧ୍ୟା ଫେରିବା ସ୍ମୃତିରେ ଏଠାରେ ଦୀପାବଳି ପାଳନ କରାଯାଏ । ଏହି ଅବସରରେ ଆୟୋଜିତ ହୁଏ ଭବ୍ୟ ଦୀପୋତ୍ସବ । ସରଯୂ ନଦୀର ଘାଟଠାରୁ ଆରମ୍ଭ କରି ସହରର ବିଭିନ୍ନ ସ୍ଥାନରେ ହଜାର ହଜାର ଦୀପ ଜଳାଯାଏ । ବିଶେଷ କରି ରାମ କି ପୈଡ଼ିର ମନୋରମ ଦୃଶ୍ୟ ଦେଖିବାକୁ ଦେଶବିଦେଶରୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି ।
୨. ବାରାଣସୀ (ଉତ୍ତରପ୍ରଦେଶ):ବାରାଣସୀରେ ଦୀପାବଳିର ଦୃଶ୍ୟ ଅତ୍ୟନ୍ତ ମନୋରମ । ଗଙ୍ଗା ନଦୀ କୂଳରେ ଥିବା ବିଭିନ୍ନ ଘାଟରେ ଦୀପ ଜଳାଯିବା ସହ ମନ୍ଦିରଗୁଡ଼ିକୁ ଫୁଲରେ ସଜାଯାଏ । ସନ୍ଧ୍ୟା ସମୟରେ ଗଙ୍ଗା ଆଳତିର ଆଧ୍ୟାତ୍ମିକ ପରିବେଶ ମନ ମୋହିଥାଏ । ଏଠାରେ ଦୀପାବଳିର କିଛି ଦିନ ପରେ ପାଳନ ହେଉଥିବା ଦେବ ଦୀପାବଳି ମଧ୍ୟ ଏକ ବଡ଼ ଆକର୍ଷଣ । ଏହି ଦିନ ଗଙ୍ଗା ଘାଟରେ ଲକ୍ଷ ଲକ୍ଷ ଦୀପ ଜଳାଯାଏ ।
୩. ଜୟପୁର (ରାଜସ୍ଥାନ): ରାଜସ୍ଥାନର ରାଜଧାନୀ ଜୟପୁରକୁ ପିଙ୍କ୍ ସିଟି କୁହାଯାଏ । ଦୀପାବଳି ସମୟରେ ଏହି ସହରର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଏ । ଜୌହରୀ ବଜାର, ବାପୁ ବଜାର ଏବଂ ହାୱା ମହଲ ଆଖପାଖ ଅଞ୍ଚଳକୁ ରଙ୍ଗବେରଙ୍ଗ ଆଲୋକରେ ସଜାଯାଏ । ଏଠାକୁ ବୁଲିବାକୁ ଆସିଲେ ସପିଂ ସହ ରାଜସ୍ଥାନୀ ମିଠା ଓ ପାରମ୍ପରିକ ଖାଦ୍ୟର ମଜା ମଧ୍ୟ ନେଇପାରିବେ ।
୪. ଅମୃତସର (ପଞ୍ଜାବ): ପଞ୍ଜାବର ଅମୃତସରରେ ଦୀପାବଳିର ଆକର୍ଷଣ ହେଉଛି ସ୍ୱର୍ଣ୍ଣ ମନ୍ଦିର । ଦୀପାବଳି ଅବସରରେ ପୂରା ଗୁରୁଦ୍ୱାରକୁ ଆଲୋକମାଳାରେ ସଜାଯାଏ । ମନ୍ଦିରର ଆଲୋକର ପ୍ରତିଫଳନ ସରୋବରରେ ପଡ଼ିବା ପରେ ଦୃଶ୍ୟ ଅତ୍ୟନ୍ତ ସୁନ୍ଦର ଦେଖାଯାଏ । ଏଠାରେ ଦୀପାବଳି ସହ ବନ୍ଦୀ ଛୋଡ଼ ଦିବସ ମଧ୍ୟ ପାଳନ କରାଯାଏ । ଶିଖ୍ ଧର୍ମରେ ଏହି ଦିନର ରହିଛି ବିଶେଷ ମହତ୍ତ୍ୱ ।
୫. କୋଲକାତା (ପଶ୍ଚିମବଙ୍ଗ): କୋଲକାତାରେ ଦୀପାବଳି ସହ ମା’ କାଳୀଙ୍କ ପୂଜାର ବିଶେଷ ମାହୋଲ ଦେଖିବାକୁ ମିଳେ । ଏହି ସମୟରେ ସହରର ବିଭିନ୍ନ ସ୍ଥାନରେ ଆକର୍ଷଣୀୟ କାଳୀ ପୂଜା ମଣ୍ଡପ ନିର୍ମାଣ କରାଯାଏ । ମନ୍ଦିରଠାରୁ ଆରମ୍ଭ କରି ରାସ୍ତାଘାଟ ପର୍ଯ୍ୟନ୍ତ ସବୁଠି ରଙ୍ଗିନ ଆଲୋକ ଓ ସାଜସଜ୍ଜା ଦେଖିବାକୁ ମିଳେ । ଏଠାକାର କାଳୀପୂଜା, ପାରମ୍ପରିକ ଖାଦ୍ୟ ଏବଂ ବଙ୍ଗୀୟ ସଂସ୍କୃତିର ଅନୁଭୂତି ଆପଣଙ୍କ ଦୀପାବଳି ଯାତ୍ରାକୁ ସ୍ମରଣୀୟ କରିପାରେ ।
୬. ଉଦୟପୁର (ରାଜସ୍ଥାନ): ଝିଲ୍ ଓ ରାଜପ୍ରାସାଦର ସହର ଉଦୟପୁର ଦୀପାବଳି ସମୟରେ ଆଲୋକରେ ଝଲସି ଉଠେ । ପିଚୋଲା ହ୍ରଦ, ସିଟି ପ୍ୟାଲେସ୍ ଏବଂ ପୁରୁଣା ବଜାରର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ । ଯେଉଁମାନେ ପର୍ବପର୍ବାଣୀର ଆନନ୍ଦ ସହ ଶାନ୍ତ ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହାନ୍ତି, ସେମାନଙ୍କ ପାଇଁ ଉଦୟପୁର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ।
୭. ଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଦୀପାବଳିର ଧୁମ୍ ଜୋରଦାର ରହିଥାଏ । ବଜାରଠାରୁ ଆରମ୍ଭ କରି ଆବାସିକ ଅଞ୍ଚଳ ପର୍ଯ୍ୟନ୍ତ ସବୁଠି ଆଲୋକର ସାଜସଜ୍ଜା ଦେଖିବାକୁ ମିଳେ । ଚାନ୍ଦନୀ ଚୌକ୍, କନଟ୍ ପ୍ଲେସ୍ ଏବଂ ଲାଜପତ ନଗର ଭଳି ବଜାରରେ ସପିଂ ପାଇଁ ଲୋକଙ୍କ ଭିଡ଼ ଜମେ । ଏଠାରେ ବିଭିନ୍ନ ପ୍ରକାର ମିଠା, ସାଜସଜ୍ଜା ସାମଗ୍ରୀ ଏବଂ ଆଲୋକରେ ସଜ୍ଜିତ ବଜାର ବୁଲିବାର ମଜା ନେଇପାରିବେ ।
ଦୀପାବଳିରେ ଏହି ୭ଟି ସ୍ଥାନ ଭ୍ରମଣ କରିବା ଦ୍ୱାରା କେବଳ ଆଲୋକର ସୁନ୍ଦର ଦୃଶ୍ୟ ନୁହେଁ, ବରଂ ଭାରତର ବିଭିନ୍ନ ରାଜ୍ୟର ପରମ୍ପରା, ସଂସ୍କୃତି ଓ ଧାର୍ମିକ ମହତ୍ତ୍ୱକୁ ନିକଟରୁ ଜାଣିବାର ସୁଯୋଗ ମିଳିବ । ତେଣୁ ଏଥର ଦୀପାବଳି ଛୁଟିକୁ ଆହୁରି ସ୍ମରଣୀୟ କରିବା ପାଇଁ ଏହି ସ୍ଥାନଗୁଡ଼ିକ ମଧ୍ୟରୁ ଗୋଟିଏକୁ ନିଜ ଯାତ୍ରା ତାଲିକାରେ ସାମିଲ କରନ୍ତୁ ।






