ଏ.କେ ବ୍ୟୁରୋ : ଦେବଗଡ଼ ଜିଲ୍ଲାର ସର୍ବାଙ୍ଗୀନ ବିକାଶ, ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ଦିଶା’ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ବୈଠକରେ ଦେବଗଡ଼ ଜିଲ୍ଲାର ରାସ୍ତାଘାଟ, ଜଳସେଚନ, ବିଦ୍ୟୁତୀକରଣ, ଟେଲିକମ୍ ସେବା, ରୋଡ୍ ସେଫ୍ଟି, କୃଷି ଏବଂ ଶିଶୁ-କିଶୋରଙ୍କ ପୋଷଣ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଦେବଗଡ଼ ଜିଲ୍ଲାର ବିକାଶ କାମକୁ ଆହୁରି ତ୍ୱରାନ୍ୱିତ କରାଯିବ। ରାସ୍ତା ଓ ଜଳସେଚନ ସହିତ ଜିଲ୍ଲାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯିବ।
ଜିଲ୍ଲାର ନବଜାତ ଶିଶୁଠାରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାୟ ୭୫ ହଜାର ଶିଶୁ ଓ କିଶୋର-କିଶୋରୀଙ୍କ ସ୍ୱାସ୍ଥ୍ୟ ଏବଂ ପୋଷଣ ଉପରେ ବିଶେଷ ଧ୍ୟାନ ଦିଆଯିବ। ପୁଷ୍ଟିକର ଖାଦ୍ୟ ଓ ପୋଷଣ ସୁରକ୍ଷା ପାଇଁ ଜିଲ୍ଲାରେ ବ୍ୟାପକ ଜନ-ଅଭିଯାନ କରାଯିବା ନେଇ ଆଲୋଚନା ହୋଇଛି। କୃଷିର ବିକାଶ ଏବଂ ଜଳସେଚିତ ଜମିର ପରିମାଣ ବଢ଼ାଇବା ପାଇଁ ‘ଡିଷ୍ଟ୍ରିକ୍ଟ ହାଇଡ୍ରୋଲୋଜି ମ୍ୟାପିଂ’ କରାଯିବ। ଏହା ମାଧ୍ୟମରେ ଜଳ ଉତ୍ସ ଚିହ୍ନଟ କରି ଜଳସେଚନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏନଏଚଏଆଇ ପକ୍ଷରୁ କନକତୋରାରୁ ରେଙ୍ଗାଳି ପର୍ଯ୍ୟନ୍ତ ରାସ୍ତାକୁ ଚାରି ଲେନ୍ କରାଯିବା ନେଇ ଆଲୋଚନା ହୋଇଛି। ଏଥିସହ ଦେବଗଡ଼ ସହରର ବିର୍ସା ମୁଣ୍ଡା ଛକ, ଆମ୍ବେଦକର ଛକ ଓ ସର୍କିଟ୍ ହାଉସ୍ ଛକରେ ଦୁର୍ଘଟଣା ହ୍ରାସ କରିବା ପାଇଁ ଓଭରବ୍ରିଜ୍ ଏବଂ ଭେହିକିଲ୍ ଅଣ୍ଡରପାସ୍ ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି। ଡିଜିଟାଲ୍ କନେକ୍ଟିଭିଟି ବୃଦ୍ଧି ପାଇଁ ଜିଲ୍ଲାରେ ବର୍ତ୍ତମାନ ଥିବା ୧୦୧ଟି ବିଏସଏନଏଲ୍ ଟାୱାର ସହିତ ଆଉ ୧୫ଟି ନୂଆ ଟାୱାର ସ୍ଥାପନ କରାଯିବ। ନେଟୱର୍କ ନଥିବା ଅଞ୍ଚଳଗୁଡ଼ିକରେ ନୂଆ ସର୍ଭେ କରି ଆବଶ୍ୟକତା ଅନୁଯାୟୀ ଟାୱାର ସ୍ଥାପନ କରାଯିବ ଏହାସହ ବିଦ୍ୟୁତୀକରଣ, ରୋଡ୍ ସେଫ୍ଟି ଏବଂ ତିଳେଇବଣିରୁ ବାରକୋଟ ପର୍ଯ୍ୟନ୍ତ ସର୍ଭିସ୍ ଲେନ୍ ନିର୍ମାଣ ନେଇ ମଧ୍ୟ ବୈଠକରେ ଆଲୋଚନା ଓ ନିଷ୍ପତ୍ତି ହୋଇଛି। ବୈଠକରେ ସ୍ଥାନୀୟ ବିଧାୟକ, ଜନପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନର ବିଭିନ୍ନ ଅଧିକାରୀ ଯୋଗଦେଇ ଜିଲ୍ଲାର ବିକାଶ ସମ୍ପର୍କରେ ନିଜ ନିଜ ମତାମତ ରଖିଥିଲେ।






