ଏ.କେ ବ୍ୟୁରୋ : ଜେଲ୍ରୁ ବେଲ୍ରେ ଆସିବା ପରେ ବିଧାୟକ ହିମାଂଶୁ ସାହୁଙ୍କ ସହ ମିଶିଲେ ଚର୍ଚ୍ଚିତ ଚେହେରା ରାକେଶ ନାୟକ (ରକି ) ଧର୍ମଶାଳା ରାଜନୀତିରେ ପୁଣି ଏକ ବଡ଼ ଚର୍ଚ୍ଚା ସୃଷ୍ଟି ହୋଇଛି। ଧର୍ମଶାଳାର ଜଣାଶୁଣା ତଥା ଚର୍ଚ୍ଚିତ ଚେହେରା ରାକେଶ ନାୟକ (ରକି ) ଆଜି ବିଧିବଦ୍ଧ ଭାବରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସହ ହାତ ମିଳାଇଛନ୍ତି।

ଜେଲ୍ରୁ ଜାମିନ୍ (ବେଲ୍)ରେ ମୁକୁଳିବା ପରେ ରାକେଶ ସିଧାସଳଖ ବିଧାୟକଙ୍କ ଶରଣାପନ୍ନ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଆଲୋଚନା ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ, ଗତକିଛି ଦିନ ହେବ ବିଭିନ୍ନ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ରାକେଶ ନାୟକ ଜେଲ୍ରେ ଥିବା ବେଳେ, ଆଜି ଜାମିନ୍ ପାଇ ଫେରିବା ପରେ ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତକାର ସମୟରେ ରାକେଶ, ବିଧାୟକଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରିବା ସହ ତାଙ୍କ ସହ ମିଶି ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ରାକେଶ ନାୟକଙ୍କର ଯୁବବର୍ଗଙ୍କ ମଧ୍ୟରେ ବେଶ୍ ପ୍ରଭାବ ରହିଥିବା ବେଳେ, ତାଙ୍କର ଏହି ନିଷ୍ପତ୍ତି ଆଞ୍ଚଳିକ ରାଜନୈତିକ ସମୀକରଣକୁ ବଦଳାଇ ଦେବ ବୋଲି ଆଲୋଚନା ହେଉଛି। ରାକେଶ ବିଧାୟକଙ୍କ ସହ ସାମିଲ ହେବା ଘଟଣାକୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଅପରପକ୍ଷରେ, ଏହି ମିଶ୍ରଣ ପରେ ଧର୍ମଶାଳାର ଆଗାମୀ ରାଜନୈତିକ ସ୍ଥିତି କି ରୂପ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।






