ଏ.କେ ବ୍ୟୁରୋ : ନେପାଳରେ ପ୍ରକୃତିର ତାଣ୍ଡବ ମଧ୍ୟରେ ବରଗଡ଼ର ଏକ ପରିବାରକୁ ନେଇ ଆସିଛି ଚିନ୍ତାଜନକ ଖବର। ପ୍ରଳୟଙ୍କରୀ ବଢ଼ି ପରେ ବରଗଡ଼ ସଦର ବ୍ଲକ ଜାମପାଲିର ଗୋଟିଏ ପରିବାରର ୩ ଜଣ ନିଖୋଜ ଥିବା ସୂଚନା ମିଳିଛି।ନିଖୋଜଙ୍କ ମଧ୍ୟରେ ଗୁନମ୍ ଜୟ କ୍ରିଷ୍ଣା, ଗୁନମ୍ ସାଇଁ ବିନ୍ଦୁ କୁମାରୀ ଓ ତାଙ୍କ ଛୋଟ ଝିଅ ଗୁନମ୍ ହରେ କ୍ରିଷ୍ଣା ରହିଛନ୍ତି। ସୂଚନା ଅନୁସାରେ, ଦମ୍ପତି ଜଣକ ନେପାଳର ଏକ ହାଇଡ୍ରୋ ପ୍ରୋଜେକ୍ଟରେ କାର୍ଯ୍ୟରତ ଥିଲେ। ବଢ଼ି ପରେ ସେମାନଙ୍କ ସହ ଯୋଗାଯୋଗ ହୋଇନପାରିବାରୁ ନିଖୋଜ ଥିବା ନେଇ ଖବର ମିଳିଛି।

ଘଟଣାର ଗୁରୁତ୍ୱକୁ ଦେଖି ଓଡ଼ିଶା ସରକାରଙ୍କ ଦିଲ୍ଲୀସ୍ଥିତ କଣ୍ଟ୍ରୋଲ୍ ରୁମ୍କୁ ଏନେଇ ଅବଗତ କରାଯାଇଛି। ଭାରତୀୟ ଦୂତାବାସ ମାଧ୍ୟମରେ ନେପାଳ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସୂଚନା ଦିଆଯାଇଛି।ନିଖୋଜ ପରିବାରର ସନ୍ଧାନ ଓ ଉଦ୍ଧାର ପାଇଁ ଉଭୟ ପକ୍ଷରେ ସମନ୍ୱୟ ରଖାଯାଇଛି।ଏନେଇ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ କହିଛନ୍ତି ଯେ, ଜାମପାଲିର ଏକ ଦମ୍ପତି ପରିବାର ସହ ନେପାଳର ହାଇଡ୍ରୋ ପ୍ରୋଜେକ୍ଟରେ କାମ କରୁଥିଲେ। ବର୍ତ୍ତମାନ ସେମାନେ ନିଖୋଜ ଥିବା ନେଇ ସୂଚନା ମିଳିଛି।ସେମାନଙ୍କୁ ସୁରକ୍ଷିତ ଭାବେ ଠାବ କରିବା ପାଇଁ ଜିଲ୍ଲା ପ୍ରଶାସନ ଓଡ଼ିଶା ସରକାରଙ୍କ ସହ ଯୋଗାଯୋଗରେ ରହିଛି। ନିଖୋଜ ପରିବାରର ସନ୍ଧାନ ପାଇଁ ଆବଶ୍ୟକ ସମସ୍ତ ପ୍ରକାର ପ୍ରୟାସ ଚାଲିଥିବା ବେଳେ ପରିବାର ଲୋକେ ସେମାନଙ୍କ ସୁରକ୍ଷିତ ଫେରିବା ଆଶାରେ ଅପେକ୍ଷା କରିଛନ୍ତି।ନେପାଳର ବଢ଼ି ପରିସ୍ଥିତି ଯୋଗୁଁ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଥିବାରୁ ତୁରନ୍ତ ସୂଚନା ମିଳିବାରେ ସମସ୍ୟା ହେଉଥିବା ଜଣାପଡ଼ିଛି।






