ଏ.କେ ବ୍ୟୁରୋ : ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ପେଣ୍ଟା ଶିବ ମନ୍ଦିରରେ ଘଟିଥିବା ଚାଞ୍ଚଲ୍ୟକର ମୂର୍ତ୍ତି ଚୋରି ଘଟଣାର ପୋଲିସ ସଫଳତାର ସହ ପର୍ଦ୍ଦାଫାସ କରିଛି। ଏହି ମାମଲାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି ହୋଇଥିବା ପ୍ରାଚୀନ ଧାତୁମୂର୍ତ୍ତି ଏବଂ ଚୋରିରେ ବ୍ୟବହୃତ ଦୁଇଟି ଗାଡ଼ି ଜବତ କରିଛି।

ପୁଲିସ ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୨୪ ତାରିଖ ବିଳମ୍ବିତ ରାତିରେ ମନ୍ଦିରର ମୁଖ୍ୟ ଫାଟକର ତାଲା ଭାଙ୍ଗି କିଛି ଦୁର୍ବୃତ୍ତ ଭିତରେ ପ୍ରବେଶ କରିଥିଲେ। ସେମାନେ ଗର୍ଭଗୃହରୁ ଭଗବାନ ଶିବ, ମାତା ପାର୍ବତୀ ଓ ନାଗ ଦେବତାଙ୍କ ମୂଲ୍ୟବାନ ଧାତୁ ମୂର୍ତ୍ତି ସମେତ ପୂଜା ସାମଗ୍ରୀ ଲୁଟି ନେଇଥିଲେ। ପରଦିନ ସକାଳେ ପୂଜକ ବି.ଏନ୍. ନାଗରାଜୁ ମନ୍ଦିରର ତାଲା ଭାଙ୍ଗିଥିବା ଦେଖି ତୁରନ୍ତ ଚାନ୍ଦିଲି ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଆଧାର କରି ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା ଏବଂ ବିଶେଷ ସୂତ୍ରରୁ ଖବର ପାଇ ନୂଆପଡ଼ାର ମନୋଜ ଦୁର୍ଗା, ପବନ ଗଣ୍ଡା ଏବଂ ଅମ୍ଳାଗୁଡ଼ାର ଆଲୁ ହରେକ୍ରୁଷ୍ଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରିଛି। ପରେ ଜେରା ବେଳେ ସେମାନେ ନିଜ ଦୋଷ ସ୍ୱୀକାର କରିଥିଲେ।ପୋଲିସ ସେମାନଙ୍କ ଠାରୁ ୧୩ ଦଶମିକ ୯୭ କେଜି ଓଜନର ଧାତୁମୂର୍ତ୍ତି ୨.୨୭ କେଜି ଓଜନର ମାତା ପାର୍ବତୀଙ୍କ ମୂର୍ତ୍ତି ୪.୨୭ କେଜି ଓଜନର ପିତ୍ତଳ ପଞ୍ଚମୁଖୀ ନାଗ ମୂର୍ତ୍ତି ଓ ନଗଦ ୧୨୪୦ ଟଙ୍କା ଏବଂ କିଛି ଭଙ୍ଗା ପିତ୍ତଳ ସାମଗ୍ରୀ ସହ ଏକ ଅଟୋ ଓ ବାଇକ୍ ଜବତ କରିଛି। ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି।






