ଏ.କେ ବ୍ୟୁରୋ : ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରଥପୁରର ଶାଶ୍ୱତ ଓ ଅନୁରାଗଙ୍କ ସଫଳତା ଭାରତ ବିକାଶ ପରିଷଦ, ପଶ୍ଚିମ ପ୍ରାନ୍ତ ଅନ୍ତର୍ଗତ ବିଭିନ୍ନ ଜିଲ୍ଲାକୁ ନେଇ ଆୟୋଜିତ ‘ଭାରତ କୋ ଜାନୋ’ କୁଇଜ୍ ପ୍ରତିଯୋଗିତାରେ ସୋନପୁର ଜିଲ୍ଲା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ସଫଳତା ଜିଲ୍ଲା ପାଇଁ ଗୌରବ ଆଣିଦେଇଛି।
ରବିବାର ସମ୍ବଲପୁରସ୍ଥିତ ପାନ୍ଥନିବାସଠାରେ ଆୟୋଜିତ ଏହି ପ୍ରତିଯୋଗିତାରେ ସୋନପୁର ଜିଲ୍ଲା ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରଥପୁରର ଛାତ୍ର ଶାଶ୍ୱତ ଶ୍ରୀଚନ୍ଦନ ଖମାରୀ ଓ ଅନୁରାଗ ବାରିକ ଅଂଶଗ୍ରହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ଦଶଟି ଜିଲ୍ଲାରୁ ଆସିଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ଉଭୟ ଛାତ୍ର ନିଜର ଜ୍ଞାନ ଓ ପ୍ରତିଭା ପ୍ରଦର୍ଶନ କରି ସୋନପୁର ଜିଲ୍ଲାକୁ ଦ୍ୱିତୀୟ ସ୍ଥାନରେ ପହଞ୍ଚାଇଥିଲେ ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଛାତ୍ରଦ୍ୱୟଙ୍କୁ ମାର୍ଗଦର୍ଶନ କରିଥିଲେ ଶିକ୍ଷକ ଜଳଦେବ ବରିହା। ଛାତ୍ରଦ୍ୱୟଙ୍କ ଏହି ସଫଳତାରେ ବିଦ୍ୟାଳୟ, ଶିକ୍ଷକ ଓ ଅଭିଭାବକ ମହଲରେ ଆନନ୍ଦ ପ୍ରକାଶ ପାଇଛି। ସେମାନଙ୍କର ଏହି କୃତିତ୍ୱ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଆହରଣ ଓ ବିଭିନ୍ନ ପ୍ରତିଯୋଗିତାରେ ଭାଗନେବା ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।
ସୋନପୁର ରୁ ଯୁଧିଷ୍ଠିର ଖମାରୀଙ୍କ ରିପୋର୍ଟ ଆପଣଙ୍କ ଖବର






