ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ, ବା ODMM ପକ୍ଷରୁ ଭୁବନେଶ୍ୱରର ରୋଟାରୀ ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ଆୟୋଜିତ ହୋଇଥିଲା। ଗରିବ, ନିଷ୍ପେଷିତ ଓ ଅସହାୟ ଲୋକଙ୍କୁ ସାମାଜିକ ନ୍ୟାୟ ପ୍ରଦାନ କରିବା ଏବଂ ଅନ୍ୟାୟ ବିରୋଧରେ ସଂଗଠିତ ଭାବେ ସ୍ୱର ଉତ୍ତୋଳନ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସଂଗଠନର କର୍ମକର୍ତ୍ତା ଓ ପ୍ରତିନିଧିମାନେ ଯୋଗଦେଇ ସଂଗଠନର ଆଗାମୀ କାର୍ଯ୍ୟପନ୍ଥା, ସାମାଜିକ ଦାୟିତ୍ୱ ଓ ଜନସେବାକୁ ଅଧିକ ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା କରିଥିଲେ।
ବୈଠକରେ ବିଶିଷ୍ଟ ସମାଜସେବୀ ତଥା ଆରଟିଆଇ କର୍ମୀ ଡକ୍ଟର ରାଜକୁମାର ଯାଦବ, ଓଡ଼ିଶା ସରକାରଙ୍କ ଖଣି ବିଭାଗର ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ସମାଜସେବୀ ସାରଦା ପ୍ରସାଦ ଷଡ଼ଙ୍ଗୀ ଏବଂ କେନ୍ଦୁଝର ଜିଲ୍ଲାର ବିଶିଷ୍ଟ ସମାଜସେବୀ ସୂର୍ଯ୍ୟନାରାୟଣ କର ଅତିଥି ଭାବେ ଯୋଗଦେଇ ସମାଜ କଲ୍ୟାଣ ଓ ଜନସେବା କ୍ଷେତ୍ରରେ ନିଜର ମତାମତ ଓ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ସଂଗଠନର ରାଜ୍ୟ ସଭାପତି ମନୋଜ କୁମାର ଶତପଥିଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ କବିରାଜ ପାତ୍ର ଓ ରାଜ୍ୟ ସାଂଗଠନିକ ସମ୍ପାଦକ ବୈଠକ ପରିଚାଳନା କରିଥିଲେ। ଏହା ସହ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ମୀରା ବାଇ ଦେଓ ଓ ସୂର୍ଯ୍ୟକାନ୍ତ ଖେଡୁୱାଲ୍ ସିଂ ସଂଗଠନକୁ ଆହୁରି ସଶକ୍ତ କରି ଗରିବ ଓ ଅସହାୟ ଲୋକଙ୍କ ଅଧିକାର ସୁରକ୍ଷା ପାଇଁ ସମସ୍ତଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।
“ଅନ୍ୟାୟ ବିରୋଧରେ ଆମର ଆବାଜ” ସ୍ଲୋଗାନକୁ ପାଥେୟ କରି ଆୟୋଜିତ ଏହି ସଭାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ସଂଗଠନକୁ ଆଗାମୀ ଦିନରେ ଆହୁରି ସୁଦୃଢ଼ କରିବା ସହ ସମାଜର ବଞ୍ଚିତ ଓ ଅସହାୟ ଲୋକଙ୍କ ସ୍ୱାର୍ଥରେ ନିରନ୍ତର କାର୍ଯ୍ୟ କରିବାକୁ ଦୃଢ଼ ସଂକଳ୍ପ ପ୍ରକାଶ କରିଥିଲେ।
କଟକରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକଙ୍କ ରିପୋର୍ଟ।






