ଏ.କେ ବ୍ୟୁରୋ : ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବନମହୋତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ପରିବେଶବିତ୍ ତଥା ପ୍ରକୃତିବନ୍ଧୁ ତେଜରାଜ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୃକ୍ଷରୋପଣ, ପରିବେଶ ସଚେତନତା ଏବଂ ପ୍ରକୃତି ସଂରକ୍ଷଣ ଉପରେ ବିଶେଷ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପତିତପାବନ ସାହୁ ଯୋଗଦେଇ ବୃକ୍ଷ ହେଉଛି ମାନବଜୀବନର ଅମୂଲ୍ୟ ସମ୍ପଦ ବୋଲି କହିଥିଲେ। ସେ ପ୍ରତ୍ୟେକ ଛାତ୍ରଛାତ୍ରୀ ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ ଜଣାଇଥିଲେ।
ସମ୍ମାନିତ ଅତିଥି ଭାବେ ବରପାଲି ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼. ଘନଶ୍ୟାମ ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପଧାନ, ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ବେହେରା, ସତଲମା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ଗଡ଼ତିଆ, ଜିଲ୍ଲା ପରିବେଶ ସଚେତନତା ସମିତିର ସମ୍ପାଦକ ମୋହନ ଚାନ୍ଦ ପଧାନ ଏବଂ ସତଲମା ଉନ୍ନୀତ ବାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅରୁନ୍ଧତୀ ଭୋଇ ଉପସ୍ଥିତ ରହି ପରିବେଶ ସୁରକ୍ଷାର ଆବଶ୍ୟକତା, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବଂ ସବୁଜ ପରିବେଶ ଗଠନରେ ଯୁବପିଢ଼ିର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ବକ୍ତାମାନେ କହିଥିଲେ ଯେ, ବନ ଓ ପରିବେଶର ସୁରକ୍ଷା ବିନା ସୁସ୍ଥ ଓ ସୁନ୍ଦର ପୃଥିବୀର କଳ୍ପନା ସମ୍ଭବ ନୁହେଁ। ବୃକ୍ଷରୋପଣ କେବଳ ଏକ ଦିନର କାର୍ଯ୍ୟକ୍ରମ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ନିତ୍ୟକର୍ତ୍ତବ୍ୟ ହେବା ଉଚିତ୍। ଛାତ୍ରଛାତ୍ରୀମାନଙ୍କୁ ଗଛ ଲଗାଇବା ସହିତ ତାହାର ସୁରକ୍ଷା ଓ ଯତ୍ନ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଫଳ, ଔଷଧୀୟ ଓ ଛାୟା ପ୍ରଦାନକାରୀ ବୃକ୍ଷ ଚାରା ରୋପଣ କରାଯାଇଥିଲା। ଶିକ୍ଷକ, ଛାତ୍ରଛାତ୍ରୀ ଓ ଅତିଥିମାନେ ମିଳିତ ଭାବେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା ପ୍ରତି ସମସ୍ତଙ୍କୁ ସଚେତନ ହେବାକୁ ଆହ୍ୱାନ ଜଣାଇଥିଲେ। କାର୍ଯ୍ୟକ୍ରମକୁ ଓଡ଼ିଆ ଅଧ୍ୟାପକ ଲୋକବନ୍ଧୁ ପଧାନ ସୁନ୍ଦର ଭାବେ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହି ବନମହୋତ୍ସବକୁ ସଫଳ କରିଥିଲେ। ଶେଷରେ ସମସ୍ତେ ପରିବେଶ ସୁରକ୍ଷା ଓ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ସାମୂହିକ ଶପଥ ଗ୍ରହଣ କରିଥିଲେ।






