ଏ.କେ ବ୍ୟୁରୋ : ସମଗ୍ର ଭାରତବର୍ଷରେ ନିଟ ପେପର ପ୍ରଶ୍ନ ପତ୍ର ଲିକ୍ ନେଇ ବିକ୍ଷୋଭ ଚାଲିଥିବାବେଳେ କଟକ ଜିଲ୍ଲା ସାଲେପୁର ବ୍ଲକ୍ ଏଥିରୁ ବାଦ ପଡିନି।ଆଜି ନିଟ୍ (NEET) ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ସାଲେପୁରରେ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଟକ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ୍ତ କୁମାର ଦାସଙ୍କ ଆହ୍ୱାନ କ୍ରମେ ସାଲେପୁର, ମାହାଙ୍ଗା,

ନିଶ୍ଚିନ୍ତକୋଇଲି ସମେତ ବିଭିନ୍ନ ଅଞ୍ଚଳରୁ ଶତାଧିକ କଂଗ୍ରେସ କର୍ମୀ ସାଲେପୁର ବ୍ଲକ ଗେଟ ସମ୍ମୁଖରେ ଏକତ୍ରିତ ହୋଇ ପ୍ରତିବାଦ ସଭା କରିଥିଲେ।ପରେ ଏକ ବିକ୍ଷୋଭ ରାଲିରେ ବାହାରି ସାଲେପୁର କଲେଜ ରୋଡ୍ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା ଦାହ କରି ନାରାବାଜି କରିଥିଲେ।ପ୍ରତିବାଦକାରୀମାନେ ନିଟ୍ ପେପର୍ ଲିକ୍ ଘଟଣାର ନିରପେକ୍ଷ ତଦନ୍ତ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଙ୍କ ଇସ୍ତଫା ଦାବି କରିଥିଲେ। ସେହିପରି ପ୍ରତିବାଦ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା କଥିତ ପୋଲିସ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ କଡ଼ା ନିନ୍ଦା କରିଥିଲେ।
କଟକ ଜିଲ୍ଲା ସାଲେପୁର ରୁ ଶିଶୁ କୃଷ୍ଣ ନନ୍ଦଙ୍କ ରିପୋର୍ଟ ଆପଣଙ୍କ ଖବର।






