ଏ.କେ ବ୍ୟୁରୋ : ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକରେ ନିର୍ମାଣ ହୋଇଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ନୂତନ କୋଠା ଏଯାଏଁ ହସ୍ତାନ୍ତର ହୋଇପାରିନଥିବାରୁ ଚଳିତ ଶିକ୍ଷାବର୍ଷରେ ନାମ ଲେଖାଇଥିବା ୬୦ ଜଣ ଛାତ୍ରଛାତ୍ରୀ ପାଠପଢ଼ାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଜନଜାତୀୟ କାର୍ଯ୍ୟ ମନ୍ତ୍ରାଳୟ ଅଧୀନରେ ପରିଚାଳିତ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ (ଇଏମଆରଏସ) ରାମନାଗୁଡ଼ାଠାରେ ପ୍ରାୟ ୧୫ ଏକର ଜମିରେ ନିର୍ମାଣ ହୋଇଛି। ବିଦ୍ୟାଳୟରେ ସିବିଏସଇ ଢାଞ୍ଚାରେ ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ଓ ଅନ୍ୟାନ୍ୟ ଶିକ୍ଷା ସହାୟକ କାର୍ଯ୍ୟକଳାପ ପାଇଁ ଭିତ୍ତିଭୂମି ରହିଛି। ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଓ କର୍ମଚାରୀଙ୍କ ବାସଗୃହ ମଧ୍ୟ ନିର୍ମାଣ କାର୍ଯ୍ୟ ସରିଥିବା ସୂଚନା ମିଳିଛି।
ଚଳିତ ଶିକ୍ଷାବର୍ଷରେ ରାମନାଗୁଡ଼ା ଏକଲବ୍ୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ୩୦ ଜଣ ଆଦିବାସୀ ଛାତ୍ର ଓ ୩୦ ଜଣ ଆଦିବାସୀ ଛାତ୍ରୀଙ୍କ ନାମଲେଖା ପାଇଁ ଅନଲାଇନ ଓ ଅଫଲାଇନ ଆବେଦନ ଗ୍ରହଣ କରାଯାଇଥିଲା। ପରବର୍ତ୍ତୀ ପ୍ରକ୍ରିୟା ଶେଷ ହେବା ପରେ ଅଗଷ୍ଟ ୧ ତାରିଖରେ ମନୋନୀତ ଛାତ୍ରଛାତ୍ରୀଙ୍କ ନାମ ଚୂଡ଼ାନ୍ତ ହୋଇଥିଲା। ତେବେ ନୂତନ କୋଠା ହସ୍ତାନ୍ତର ହୋଇନଥିବାରୁ ବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ ହୋଇପାରିନାହିଁ। କିଛି ମାସ ପୂର୍ବେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ରାମନାଗୁଡ଼ା ଗସ୍ତ ସମୟରେ ବିଦ୍ୟାଳୟ ପରିସର ପରିଦର୍ଶନ କରିଥିଲେ। ସେତେବେଳେ କିଛି ଭିତ୍ତିଭୂମି କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିବାରୁ ସେଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରି ବିଦ୍ୟାଳୟ କୋଠା ହସ୍ତାନ୍ତର କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ତେବେ ନିର୍ଦ୍ଦେଶର ପ୍ରାୟ ୪ ମାସ ପରେ ମଧ୍ୟ କୋଠା ହସ୍ତାନ୍ତର ହୋଇନଥିବା ଅଭିଯୋଗ ହୋଇଛି। କୋଠା ହସ୍ତାନ୍ତରରେ ବିଳମ୍ବ ଯୋଗୁଁ ରାମନାଗୁଡ଼ା ଏକଲବ୍ୟ ବିଦ୍ୟାଳୟର ମନୋନୀତ ଛାତ୍ରଛାତ୍ରୀଙ୍କୁ ଏବେ ରାୟଗଡ଼ା ଇଏମଆରଏସ ସହିତ ଯୋଡ଼ାଯାଇଥିବା ସୂଚନା ମିଳିଛି। ଫଳରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇସାରିଥିଲେ ମଧ୍ୟ ରାମନାଗୁଡ଼ା ବିଦ୍ୟାଳୟ ପାଇଁ ମନୋନୀତ ୬୦ ଜଣ ଛାତ୍ରଛାତ୍ରୀ ନିୟମିତ ଶିକ୍ଷାଦାନରୁ ବଞ୍ଚିତ ହୋଇଥିବା କୁହାଯାଉଛି।
ଏନେଇ ରାମନାଗୁଡ଼ା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜ୍ଞାନରଞ୍ଜନ ବଡ଼ନାୟକଙ୍କୁ ପଚାରିବାରୁ ସେ ନୂଆ କରି ଦାୟିତ୍ୱ ନେଇଥିବାରୁ ବିଦ୍ୟାଳୟର ଶିକ୍ଷାଦାନ କାହିଁକି ଆରମ୍ଭ ହୋଇନାହିଁ, ସେ ସମ୍ପର୍କରେ ଅବଗତ ନଥିବା କହିଥିଲେ। ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓଙ୍କୁ ପଚାରିବାରୁ, ବିଦ୍ୟାଳୟ କୋଠା ନିର୍ମାଣ କରିଥିବା ସଂସ୍ଥା ଏଯାଏଁ ଏହାକୁ ବିଭାଗକୁ ହସ୍ତାନ୍ତର କରିନଥିବା କହିଥିଲେ। ଏହି ସମୟରେ ରାମନାଗୁଡ଼ା ଇଏମଆରଏସର ଛାତ୍ରଛାତ୍ରୀମାନେ ରାୟଗଡ଼ା ଇଏମଆରଏସର ପ୍ରଧାନଶିକ୍ଷକଙ୍କ ଅଧୀନରେ ପରିଚାଳିତ ହେଉଥିବା ସହ ସମସ୍ତ ଆନୁଷଙ୍ଗିକ ପ୍ରକ୍ରିୟା ସରିଥିବା ସେ ସୂଚନା ଦେଇଥିଲେ। ଖୁବଶୀଘ୍ର ରାମନାଗୁଡ଼ା ଇଏମଆରଏସ କାର୍ଯ୍ୟକ୍ଷମ ହେବ ବୋଲି ମଧ୍ୟ ସେ କହିଥିଲେ। ଅନ୍ୟପକ୍ଷରେ, ନିର୍ମାଣକାରୀ ସଂସ୍ଥାର ବିଲ୍ ପେମେଣ୍ଟ ହୋଇନଥିବାରୁ କୋଠା ହସ୍ତାନ୍ତରରେ ବିଳମ୍ବ ହେଉଥିବା ନେଇ ଅଭିଯୋଗ ରହିଛି। ତେବେ ଏହି ଅଭିଯୋଗ ସମ୍ପର୍କରେ ନିର୍ମାଣକାରୀ ସଂସ୍ଥାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ନୂତନ ବିଦ୍ୟାଳୟ କୋଠା ହସ୍ତାନ୍ତର କରି ତୁରନ୍ତ ଶିକ୍ଷାଦାନ ଆରମ୍ଭ କରିବା ସହ ୬୦ ଜଣ ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ଯେପରି ଆଉ ବାଧା ନସୃଷ୍ଟି ହୁଏ, ସେଥିପାଇଁ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।






