ଏ.କେ ବ୍ୟୁରୋ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବାର ସୁଧାର ପାଇଁ ଦୀର୍ଘ ଦିନରୁ ଚାଲିଆସୁଥିବା ଦାବି ଏବେ ଆଂଶିକ ଫଳବତୀ ହୋଇଛି। ୫୦ ଗୋଟି ସ୍ୱୀକୃତ ଡାକ୍ତର ପଦବୀ ବିପରୀତରେ ମାତ୍ର ୧୨ ଜଣ ଡାକ୍ତରଙ୍କ ଭରସାରେ ଚାଲିଥିବା ଏହି ଚିକିତ୍ସାଳୟ ଉପରେ ଉପଖଣ୍ଡର ୫ ଲକ୍ଷରୁ ଊର୍ଦ୍ଧ୍ୱ ଜନସାଧାରଣ ନିର୍ଭର କରନ୍ତି। ଡାକ୍ତରଙ୍କ ଘୋର ଅଭାବ ଯୋଗୁଁ ରୋଗୀସେବା ଗୁରୁତର ଭାବେ ବ୍ୟାହତ ହେଉଥିବାରୁ, କୋଶଲ ମୁକ୍ତି ମୋର୍ଚ୍ଚା ପକ୍ଷରୁ କିଛି ଦିନ ତଳେ ଗଣତାନ୍ତ୍ରିକ ଢଙ୍ଗରେ ଅନଶନ କରାଯାଇଥିଲା। ଏହି ପ୍ରତିବାଦ ଓ ଦାବି ଫଳରେ ପ୍ରଶାସନ ପକ୍ଷରୁ ୩ ଜଣ ନୂତନ ଡାକ୍ତରଙ୍କ ନିଯୁକ୍ତି ସହ ମୋର୍ଚ୍ଚାର ଆଉ ୨ଟି ପ୍ରମୁଖ ଦାବି ପୂରଣ ହୋଇଛି, ଯାହା ଅଞ୍ଚଳବାସୀଙ୍କୁ ଚିକିତ୍ସା କ୍ଷେତ୍ରରେ ବଡ଼ ଆଶ୍ୱାସନା ଯୋଗାଇଛି।
ଏହି ସଫଳତା ପରେ ଆଜି କୋଶଲ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଚିକିତ୍ସାଳୟ ପରିସରକୁ ଯାଇ ନୂତନ ଡାକ୍ତରଙ୍କ ସମେତ ସୀମିତ ସମ୍ବଳ ଓ କମ୍ କର୍ମଚାରୀ ଥାଇ ମଧ୍ୟ ଦିନରାତି ସେବା ଯୋଗାଉଥିବା ଷ୍ଟାଫ୍ ନର୍ସ, ଆଟେଣ୍ଡାଣ୍ଟ ଏବଂ ସଫେଇ କର୍ମଚାରୀମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଓ ଶୁଭେଚ୍ଛା ଜଣାଯାଇଥିଲା। ଏହି ଅବସରରେ ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ଡିଙ୍ଗର କୁମ୍ଭାର ଏବଂ ମିଡିଆ ସେଲ୍ ଅଧ୍ୟକ୍ଷ ବିମଳ କୁମାର ବାଗ ଉପସ୍ଥିତ ରହି ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଉତ୍ସର୍ଗୀକୃତ ସେବାକୁ ସାଧୁବାଦ ଜଣାଇଥିଲେ। ତେବେ ୩ ଜଣ ଡାକ୍ତରଙ୍କ ନିଯୁକ୍ତି ଦ୍ୱାରା ସମସ୍ୟାର ଆଂଶିକ ସମାଧାନ ହୋଇଥିବା ବେଳେ, ଅବଶିଷ୍ଟ ଖାଲି ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ମୋର୍ଚ୍ଚା ଦାବି କରିବା ସହ ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ଯେପରି ଆଗକୁ ବ୍ୟାହତ ନହୁଏ, ସେଥିପ୍ରତି ପ୍ରଶାସନ ବିଶେଷ ଦୃଷ୍ଟି ଦେବ ବୋଲି ଆଶା ପ୍ରକାଶ କରିଛି।






