ଏ.କେ ବ୍ୟୁରୋ : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଭୋଇମଡା ଗ୍ରାମ ପଞ୍ଚାୟତର ମାଣ୍ଡିଆଡମ୍ବ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରରେ ହେଲପର ନିଯୁକ୍ତିକୁ ନେଇ ବିବାଦ ଦେଖାଦେଇଛି। ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ରାୟଗଡ଼ା ଜିଲ୍ଲାପାଳ ଓ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ଅଙ୍ଗନବାଡି କେନ୍ଦ୍ର ପାଇଁ ଯୋଗ୍ୟ ସ୍ଥାନୀୟ ପ୍ରାର୍ଥୀ ଥିବା ସତ୍ତ୍ୱେ ୫ କିଲୋମିଟର ଦୂର ଅନ୍ୟ ଗାଁର ଜଣେ ମହିଳାଙ୍କୁ ହେଲପର ଭାବେ ନିଯୁକ୍ତି ଦିଆଯାଇଛି। ଫଳରେ ସ୍ଥାନୀୟ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଗ୍ରାମବାସୀ ଦେଇଥିବା ଦାବିପତ୍ରରେ ମାଣ୍ଡିଆଡମ୍ବ ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ ହେଲପର କାର୍ଯ୍ୟ ସମ୍ପାଦନ କରିବା ପାଇଁ ଗ୍ରାମର ଶିକ୍ଷିତ ବୋହୂ ଶକୁନ୍ତଳା ପାତିକା ସ୍ଥାନୀୟ ବିଡିଓ ଓ ସିଡିପିଓ ଠାରେ ଆବେଦନ କରିଥିଲେ। ଯେହେତୁ ଶକୁନ୍ତଳା ଗ୍ରାମର ବୋହୂ ହୋଇଥିବା ହେତୁ ସେ ଅଙ୍ଗନବାଡି କେନ୍ଦ୍ରକୁ ସଠିକ୍ ଭାବେ ସମୟ ଦେବା ସହ ନିୟମିତ ଭାବେ କାର୍ଯ୍ୟ ସମ୍ପାଦନା କରିପାରିବେ ବୋଲି ଗ୍ରାମବାସୀ ଆଶା କରିଥିଲେ। କିନ୍ତୁ ସ୍ଥାନୀୟ ସିଡିପିଓ ମାଣ୍ଡିଆଡମ୍ବ ଗ୍ରାମ ଠାରୁ ୫ କିଲୋମିଟର ଦୂରରେ ଥିବା ରାମପୁର ଗ୍ରାମର ଜଣେ ମହିଳା ଙ୍କୁ ନିଯୁକ୍ତି ଦେଇଥିବା ଗ୍ରାମବାସୀ ମାନେ ଶୁଣିବାକୁ ପାଇଥିଲେ। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ୫ କିଲୋମିଟର ଦୂରରୁ ଆସି ଜଣେ ମହିଳା ବର୍ଷ ତମାମ ନିୟମିତ ଭାବେ କାର୍ଯ୍ୟ ସମ୍ପାଦନା କରିପାରିବେ କି ବୋଲି ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ସରକାରୀ ନିୟମ ଅନୁଯାୟୀ ଅଙ୍ଗନବାଡି ହେଲପର ନିଯୁକ୍ତିରେ ସମ୍ପୃକ୍ତ ଗାଁର ବାସିନ୍ଦାଙ୍କୁ ପ୍ରାଥମିକତା ଦିଆଯିବା କଥା। କିନ୍ତୁ ଏହି ନିଯୁକ୍ତିରେ ସେହି ନିୟମକୁ ଉଲ୍ଲଂଘନ କରାଯାଇଥିବା ଗ୍ରାମର ୱାର୍ଡ ସଭ୍ୟ ଶିବାନା କିଲାକା କହିଛନ୍ତି। ଏହାର ପ୍ରତିବାଦରେ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ଦାବିପତ୍ର ପ୍ରଦାନ କରିବା ସହ ନିଯୁକ୍ତି ପ୍ରକ୍ରିୟାର ପୁନଃ ତଦନ୍ତ ଦାବି କରିଛନ୍ତି। ସେହିପରି ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରା ଯାଇ ନାହିଁ ବୋଲି ଉକ୍ତ ଅଙ୍ଗନବାଡି କେନ୍ଦ୍ରକୁ କୌଣସି ଶିଶୁଙ୍କୁ ପଠାଉନାହାନ୍ତି ବୋଲି କହିଛନ୍ତି ଏବଂ ତୁରନ୍ତ ଯଦି କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଏ ତାହେଲେ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ଦେବୁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଗ୍ରାମବାସୀଙ୍କ ଦାବିକୁ ଆଗ୍ରାହ୍ୟ କରି ଗାଁର ବୋହୂ ଶକୁନ୍ତଳାକୁ ନିଯୁକ୍ତି କରିବା ପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି।ଉକ୍ତ ଘଟଣା ସମ୍ପର୍କରେ କୋଲନରା ସିଡିପିଓ ପୁଷ୍ପଲତା ସାହୁଙ୍କୁ ଯୋଗାଯୋଗ କରାଯାଇ ଥିଲେ ବି ପ୍ରତିକ୍ରିୟା ମିଳିନଥିବା ବେଳେ ଅଭିଯୋଗର ତଦନ୍ତ କରାଯାଇ ଯଥାଯଥ ପଦକ୍ଷେପ ନିଆଯିବାକୁ ମାଣ୍ଡିଆଡମ୍ବ ଗ୍ରାମର ଶଶିରାଓ ମାଣ୍ଡାଙ୍ଗି, ଆଜିକ କୁମ୍ବିକା, ଡକଦରା କିଲାକା, ମାଙ୍ଗୁଲୁ ମାଣ୍ଡାଙ୍ଗି, ସିଙ୍ଗାନା ମାଣ୍ଡାଙ୍ଗି, ସନ୍ତୋଷ କିଲାକା, ବାରିକା ମାଣ୍ଡାଙ୍ଗି ସମେତ ଅନ୍ୟମାନେ ଦାବି କରିଛନ୍ତି।






