ଏ.କେ ବ୍ୟୁରୋ : ‘ଆମ ଶାସନ’ ପୋର୍ଟାଲରେ ସାମିଲ ହେବ ଶକ୍ତି ବିଭାଗର ସମସ୍ତ ସେବା। ନୋଡାଲ ଅଫିସର ନିଯୁକ୍ତ କରିବାକୁ ନିର୍ଦ୍ଦେଶ । ରାଜ୍ୟରେ ଜନଭାଗିଦାରୀ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ବିଭିନ୍ନ ସରକାରୀ ସେବା ଉପରେ ସିଧାସଳଖ ନାଗରିକଙ୍କ ପ୍ରତିକ୍ରିୟା (ଫିଡବ୍ୟାକ୍) ସଂଗ୍ରହ କରିବା ପାଇଁ ଓଡ଼ିଶା ସରକାର ପ୍ରୟାସ ଜାରି ରଖିଛନ୍ତି ।
ଏହି କ୍ରମରେ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (OCAC) ଦ୍ୱାରା ବିକଶିତ ‘ଆମ ଶାସନ’ ପ୍ଲାଟଫର୍ମରେ ଶକ୍ତି ବିଭାଗର ବାକି ରହିଯାଇଥିବା ସମସ୍ତ ସେବାକୁ ତୁରନ୍ତ ସାମିଲ କରିବାକୁ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଶକ୍ତି ବିଭାଗର ଯୁଗ୍ମ ସଚିବ ଲକ୍ଷ୍ମୀକାନ୍ତ ମିଶ୍ର ରାଜ୍ୟର ପ୍ରମୁଖ ଚାରୋଟି ବିଦ୍ୟୁତ ବିତରଣ କମ୍ପାନୀ TPCODL, TPNODL, TPSODL ଏବଂ TPWODL ର ମୁଖ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ଏକ ସରକାରୀ ଚିଠି ଲେଖି ଅବଗତ କରାଇଛନ୍ତି । ଏଥିରେ ନୋଡାଲ ଅଫିସର ନିଯୁକ୍ତ ହେବେ । ସେବା ଗୁଡ଼ିକର ସଠିକ୍ ପରିଚାଳନା ଏବଂ ହିତାଧିକାରୀଙ୍କ ତଥ୍ୟ ସହଜରେ ଆଇପିଆଇ ଇଣ୍ଟିଗ୍ରେସନ ମାଧ୍ୟମରେ OCACକୁ ପ୍ରଦାନ କରିବାକୁ ଇଆଇସି କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ମନୋନୀତ କରିବାକୁ କୁହାଯାଇଛି । ଉକ୍ତ ଅଧିକାରୀଙ୍କ ନାମ, ପଦବୀ ଓ ଯୋଗାଯୋଗ ନମ୍ବର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଏବଂ OCAC କୁ ପ୍ରଦାନ କରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି ।






