ଏ.କେ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କ ନେତୃତ୍ୱରେ ୧୨ ଜଣିଆ ଉଚ୍ଚସ୍ତରୀୟ ପ୍ରଶାସନିକ ଅଧିକାରୀଙ୍କ ଏକ ଦଳ ସହରର ବିଭିନ୍ନ ସରକାରୀ କ୍ୱାର୍ଟର ପରିଦର୍ଶନ କରି ଜବରଦଖଲରେ ରହିଥିବା ଘରଗୁଡ଼ିକୁ ଚିହ୍ନଟ କରିଛନ୍ତି। ପରିଦର୍ଶନ ସମୟରେ ବିନା ଆବଣ୍ଟନରେ (ଏଲଟମେଣ୍ଟ) ରହୁଥିବା, ବଦଳି ହୋଇ ଅନ୍ୟତ୍ର ଯାଇଥିଲେ ମଧ୍ୟ କ୍ୱାର୍ଟର ଛାଡ଼ି ନଥିବା ଏବଂ ଘରଭଡ଼ା ପ୍ରଦାନ କରୁନଥିବା ଅନେକ କର୍ମଚାରୀଙ୍କୁ ତୁରନ୍ତ ଘର ଖାଲି କରିବାକୁ ତାଗିଦ କରାଯାଇଛି।

ଜିଲ୍ଲାପାଳ ଡ. ସାହୁ ଜବରଦଖଲରେ ଥିବା ସରକାରୀ କ୍ୱାର୍ଟରଗୁଡ଼ିକୁ ଖାଲି କରାଇବା ସହ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଭିଯାନରେ ଏଡିଏମ ରାଜେନ୍ଦ୍ର ମାଝୀ, ଏଡିଏମ ଅଞ୍ଜଳିନା ପଧାନ, ଉପଜିଲ୍ଲାପାଳ ଡ. ସୌମ୍ୟରୂପା ରଥ, ସୋନପୁର ବିଡିଓ ପ୍ରତୀକ କର, ତହସିଲଦାର ସ୍ୱର୍ଣ୍ଣରେଖା ଜିଙ୍କ ସମେତ ଡେପୁଟି କଲେକ୍ଟର, ଆସିଷ୍ଟାଣ୍ଟ କଲେକ୍ଟର, ଜରୁରୀ ଅଧିକାରୀ ଓ ଆରଆଇ ପ୍ରମୁଖ ସାମିଲ ଥିଲେ। ଅଧିକାରୀମାନଙ୍କ ଟିମ ସହରର ମହାବୀର କଲୋନୀ କ୍ଲଷ୍ଟର କ୍ୱାର୍ଟର, ବ୍ଲକ କଲୋନୀ କ୍ଲଷ୍ଟର କ୍ୱାର୍ଟର ଓ ଅନ୍ୟାନ୍ୟ ସରକାରୀ ଆବାସିକ କଲୋନୀ ପରିଦର୍ଶନ କରି ଜବରଦଖଲକାରୀ କର୍ମଚାରୀ ଓ ଅଧିକାରୀମାନଙ୍କୁ ସତର୍କ କରିଥିଲେ। ଜିଲ୍ଲାପାଳଙ୍କ ଏହି ଅଚାନକ ଆକ୍ସନ ପରେ ଜବରଦଖଲକାରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ, ସାଧାରଣ ଲୋକଙ୍କ ମଧ୍ୟରେ ସରକାରୀ କ୍ୱାର୍ଟରଗୁଡ଼ିକ ଜବରଦଖଲମୁକ୍ତ ହେବା ନେଇ ଆଶା ସଞ୍ଚାର ହୋଇଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଏହି ସମସ୍ୟା ନେଇ ଖବର ପ୍ରକାଶ ପାଇଥିଲେ ମଧ୍ୟ କୌଣସି ଦୃଶ୍ୟମାନ ପଦକ୍ଷେପ ଗ୍ରହଣ କରାଯାଇନଥିଲା। ତେବେ ଜିଲ୍ଲାପାଳଙ୍କ ଏହି ହଠାତ୍ ପରିଦର୍ଶନ ପରେ ଦଖଲମୁକ୍ତ ଅଭିଯାନ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି।






