ବୀରମହାରାଜପୁର, : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟରେ ସୋମବାର ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜେଷ୍ଠ ମାସର ପ୍ରଚଣ୍ଡ ଖରା ଓ ତାତିକୁ ଖାତିର ନ କରି ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ବରିଷ୍ଠ ନାଗରିକମାନେ ଭତ୍ତା ପାଇଁ ବ୍ଲକ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ।
ସେମାନଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ତିନି ମାସ ହେଲା ବୃଦ୍ଧାଭତ୍ତା ମିଳୁ ନଥିବାରୁ ଦୈନନ୍ଦିନ ଚଳନିରେ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି। ଅନେକ ବୃଦ୍ଧ ବୟସଜନିତ ଅସୁସ୍ଥତା ସତ୍ତ୍ୱେ ଖରାକୁ ଅବହେଳା କରି ନିଜ ଦାବି ଜଣାଇବା ପାଇଁ କାର୍ଯ୍ୟାଳୟକୁ ଆସିଥିବା କହିଛନ୍ତି।ସେ ସମୟରେ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) କାର୍ଯ୍ୟାଳୟରେ ଉପସ୍ଥିତ ନଥିବା ବେଳେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ପହଞ୍ଚି ବରିଷ୍ଠ ନାଗରିକମାନଙ୍କ ସହ ଆଲୋଚନା କରିଥିଲେ। ସେ ତୁରନ୍ତ ଜଳପାନ ଓ ପାନୀୟ ଜଳର ବ୍ୟବସ୍ଥା କରି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆଶ୍ୱାସନା ଦେଇଥିଲେ।
ଭତ୍ତା ବନ୍ଦ ହେବା ଘଟଣାକୁ ନେଇ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଶୀଘ୍ର ଭତ୍ତା ପ୍ରଦାନ ପାଇଁ ସେମାନେ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି।
ତିନି ମାସ ଧରି ଭତ୍ତା ବନ୍ଦ : ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟରେ ବରିଷ୍ଠ ନାଗରିକଙ୍କ ଆକୁଳ ଆବେଦନ






