ଏ.କେ ବ୍ୟୁରୋ : ଦଳ ଛାଡିବା ପରେ ଦେବାଶିଷ ସାମନ୍ତରାୟଙ୍କ ଉପରେ ବର୍ଷିଲେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। କହିଛନ୍ତି ବିଜେଡି ସରକାରରୁ ଗଲା ପରେ ସେ ବିଜେପି ସହ ଯୋଗାଯୋଗରେ ଥିଲେ। ଦଳ ପାଇଁ ଦେବାଶିଷଙ୍କର କିଛି ଅବଦାନ ନାହିଁ କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ନ ମହାନ୍ତି। ବିଜେଡି ଛାଡ଼ିଲେ, ନିର୍ଦ୍ଧୁମ୍ ବର୍ଷିଲେ।
ଆଜି ଦଳ ଛାଡ଼ିବା ପରେ ଦେବାଶିଷ କହିଛନ୍ତି, ଭିକେ ପାଣ୍ଡିଆନଙ୍କ ପାଇଁ ଦଳ ଛାଡ଼ିଲି। ତା ସହ ନବୀନଙ୍କୁ ଭେଟି ନ ପାରିବାର କ୍ଷୋଭ ପାଇଁ ମଧ୍ୟ ଛାଡ଼ିଛନ୍ତି ଦେବାଶିଷ। ସେ କହିଛନ୍ତି ବିଜେଡି କାହିଁକି ଛାଡ଼ିଲି, ସେ କଥା ନବୀନଙ୍କୁ ଜଣାଇ ଦେଇଛି। ‘ଜାତୀୟ ଦଳକୁ ଆସିଲି, ବହୁତ କିଛି କରିବାର ଅଛି। ଆଉ ପୁଣି ଥରେ ରାଜ୍ୟସଭାକୁ ନିଶ୍ଚୟ ଫେରିବି ବୋଲି ଓଟିଭିକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାରରେ କହିଛନ୍ତି ଦେବାଶିଷ। ଦେବାଶିଷ ସାମନ୍ତାରାୟ ଆଜି ପ୍ରଥମେ ବିଜେଡିରୁ ଇସ୍ତଫା ଦେବା ପରେ ପରେ ରାଜ୍ୟସଭା ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଥିଲେ। ଇସ୍ତଫା ପତ୍ରରେ ଦେବାଶିଷ ଲେଖିଛନ୍ତି ଯେ ‘ମୁଁ ସର୍ବଦା ଦଳର ସ୍ୱାର୍ଥ ପାଇଁ ନିଜକୁ ଉତ୍ସର୍ଗ କରିଆସିଛି ଏବଂ ବର୍ଷ ବର୍ଷ ଧରି ଅତ୍ୟନ୍ତ ଦୃଢ଼ ବିଶ୍ୱାସ ଏବଂ ପ୍ରତିବଦ୍ଧତାର ସହିତ ଦଳ ପାଇଁ କାମ କରିଆସିଛି। ତଥାପି, ମୁଁ ଅନୁଭବ କରୁଛି ଯେ, ବର୍ତ୍ତମାନ ମୋତେ ଦଳରେ କ୍ରମାଗତ ଭାବେ କୋଣଠେସା କରିଦିଆଯାଉଛି । ଏଥିସହିତ ଦଳ ମୋ ସେବା ଆବଶ୍ୟକ କରୁନି ବୋଲି ଅନୁଭବ କଲି। ତେଣୁ, ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି କଠିନ ନିଷ୍ପତ୍ତି ନେଇଛି । ପରେ ସେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ସାଂସଦ ପଦରୁ ଇସ୍ତଫା ଦେଇଥିଲେ।






