ଏ.କେ ବ୍ୟୁରୋ : ଟଙ୍କା ନୁହେଁ, ଏ ହେଉଛି ଭକ୍ତଙ୍କ ଆଖିର ଲୁହ ଆଉ ମନର ମାନସିକ! ରତ୍ନଗିରିର ଅଧିଷ୍ଠାତ୍ରୀ ମା’ ତାରାତାରିଣୀଙ୍କ ଦରବାରରେ ଶ୍ରଦ୍ଧାଳୁଙ୍କ ଅକୁହା ଭକ୍ତିର ପୁଣି ପ୍ରମାଣ ମିଳିଛି। ଦଶହରା ମହୋତ୍ସବ ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ମା’ଙ୍କ ଗର୍ଭଗୃହ ଓ ମୁଖ୍ୟ ଦ୍ୱାର ନିକଟରେ ଥିବା ୫ଟି ବିଶାଳ ଦାନ ହୁଣ୍ଡି ଖୋଲାଯାଇଥିଲା। ପ୍ରାୟ ୬ ମାସ ପରେ ହୁଣ୍ଡି ଖୋଲିବାରୁ ଭିତରୁ ବାହାରିଲା ଅପାର ଧନରାଶି।
ତହସିଲଦାର ତଥା ମନ୍ଦିର ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା ଏହି ଗଣତି ବିଳମ୍ବିତ ରାତି ଯାଏ ଚାଲିଥିଲା। ଶେଷ ଗଣନା ଅନୁଯାୟୀ ହୁଣ୍ଡିରୁ ମୋଟ ୨୫ ଲକ୍ଷ ୯୧ ହଜାର ୭୪୩ ଟଙ୍କା ନଗଦ ସହ ବହୁ ପରିମାଣର ସୁନା-ରୁପା ଅଳଙ୍କାର ଓ ବିଦେଶୀ ମୁଦ୍ରା ମିଳିଛି। ଏହି ଗଣତି ବେଳେ ସବୁଠୁ ହୃଦୟସ୍ପର୍ଶୀ ଦୃଶ୍ୟ ଥିଲା ଭକ୍ତଙ୍କ ହାତ ଲେଖା ଚିଠି। କେହି ପୁଅର ଚାକିରି ପାଇଁ, କେହି ପରିବାରର ସୁଖ-ଶାନ୍ତି ପାଇଁ, ଆଉ କେହି ରୋଗରୁ ମୁକ୍ତି ପାଇଁ ମା’ଙ୍କୁ ଆକୁଳ ନିବେଦନ କରି ଚିଠି ପକାଇଛନ୍ତି। ଧନ ସହ ଏହି କୋହଭରା ପ୍ରାର୍ଥନା ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଛି। ଏହି ପବିତ୍ର କାର୍ଯ୍ୟରେ ତହସିଲ କର୍ମଚାରୀ, ପୋଲିସ, ବ୍ୟାଙ୍କ କର୍ମଚାରୀ, ମୁଖ୍ୟ ପୂଜକ ବାପୁଜୀ ରଣା, ଦେବେନ୍ଦ୍ରନାଥ ରଣା, ସେବାୟତ ସଭାପତି ତପନ ରଣା, ଥାନା ଅଧିକାରୀ କୂଳମଣି ସେଠୀ ଓ ମନ୍ଦିର କର୍ମଚାରୀ ଉପସ୍ଥିତ ଥିଲେ।
ପୁରୁଷୋତ୍ତମପୁରରୁ ତ୍ରିଲୋଚନ ଦାଶଙ୍କ ରିପୋର୍ଟ ଆପଣଙ୍କ ଖବର






