ବୀରମହାରାଜପୁର, ଏ.କେ ବ୍ୟୁରୋ :: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ଗ୍ରାମ ନିକଟରେ ଥିବା ଦୂର୍ଦୁରା ଦେଶୀ ମଦ ଭାଟିକୁ ସ୍ଥାୟୀଭାବେ ବନ୍ଦ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।
ଏନେଇ ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅବକାରୀ ମନ୍ତ୍ରୀ, ଅବକାରୀ ସଚିବ, ସୁବର୍ଣ୍ଣପୁର ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ଅବକାରୀ ଅଧିକ୍ଷକ, ବୀରମହାରାଜପୁର ଉପଜିଲ୍ଲାପାଳ ଓ ଉପଖଣ୍ଡ ପୋଲିସ ଅଧିକାରୀଙ୍କୁ ଡାକ ମାଧ୍ୟମରେ ଦାବିପତ୍ର ପଠାଇଥିବା ସୂଚନା ମିଳିଛି ।ଗ୍ରାମବାସୀଙ୍କ କହିବା ଅନୁସାରେ, ଦେଶୀ ମଦ ଭାଟି ଚାଲୁଥିବାରୁ ଅଞ୍ଚଳରେ ସାମାଜିକ ପରିବେଶ ଅସ୍ଥିର ହେଉଛି ।
ମଦ୍ୟପାନ କରି ଅନେକ ବ୍ୟକ୍ତି ପରିବାରରେ ଅଶାନ୍ତି ସୃଷ୍ଟି କରୁଥିବା ବେଳେ ଅନେକ ପରିବାର ଆର୍ଥିକ ଓ ସାମାଜିକ ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି । ବିଶେଷକରି ଯୁବପିଢ଼ି ମଦ୍ୟପାନ ପ୍ରତି ଆକୃଷ୍ଟ ହେଉଥିବାରୁ ଗ୍ରାମବାସୀମାନେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ।ଏହାସହ ମଦ ଭାଟି ନିକଟରେ ଅନେକ ସମୟରେ ଗଣ୍ଡଗୋଳ ଓ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ଅଭିଯୋଗ ମଧ୍ୟ କରାଯାଇଛି । ତେଣୁ ଅଞ୍ଚଳର ଶାନ୍ତି ଓ ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଉକ୍ତ ମଦ ଭାଟିକୁ ସ୍ଥାୟୀଭାବେ ବନ୍ଦ କରିବାକୁ ଗ୍ରାମବାସୀମାନେ ପ୍ରଶାସନଙ୍କୁ ଦାବି କରିଛନ୍ତି ।






