ଏ.କେ ବ୍ୟୁରୋ : ଅଭିଯୁକ୍ତ ଶର୍ମା ପ୍ରଥମେ ମହିଳାଙ୍କୁ ଇନଷ୍ଟାଗ୍ରାମରେ ଭେଟିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ସେ କେବଳ ଧାର୍ମିକ ବିଷୟବସ୍ତୁ ସମ୍ପର୍କରେ ତା’ ସହ କଥା ହୋଇଥିଲା। କିନ୍ତୁ ସେ ସମ୍ପର୍କକୁ ଆଗକୁ ବଢ଼ାଇବାକୁ ଆଶା ରଖି ମହିଳାଙ୍କ ସହ ବନ୍ଧୁତା ସ୍ଥାପନ କରିବାକୁ ଚାହିଁଥିଲା। ସୋଶାଲ ମିଡିଆରେ ନିଜର ଧାର୍ମିକ ଭିଡିଓ ପୋଷ୍ଟ କରୁଥିଲା। ଅନଲାଇନରେ ଧର୍ମ ଉପରେ ପ୍ରବଚନ ଦେଉଥିଲା। କିନ୍ତୁ ଭିତରେ ଖେଳୁଥିଲା ସାଂଘାତିକ ଖେଳ। ସେ ଜଣେ ଯୁବତୀ ଓ ତାଙ୍କ ମା’ଙ୍କୁ ବଦନାମ କରିବା ପାଇଁ କୃତ୍ରିମ ବୃଦ୍ଧିମତା ବା ଏଆଇର ବ୍ୟବହାର ତିଆରି କରି ଚାଲିଥିଲା ୧୦୦ରୁ ଅଧିକ ଅଶ୍ଳୀଳ ଭିଡିଓ ଏବଂ ଫଟୋ। 
ଏହାକୁ ନକଲି ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ଭାଇରାଲ ବି କରୁଥିଲା। ଯୁବତୀ ଜଣଙ୍କ ଦିଲ୍ଲୀ ଭିତ୍ତିକ ଏହି ତଥାକଥିତ ଧାର୍ମିକ ପ୍ରବଚକଙ୍କ ସହ ବନ୍ଧୁତା କରିବାକୁ ମନା କରିବାରୁ ଏପରି ଏକ ଲୋକଲଜ୍ଜା ସ୍ଥିତିର ସମ୍ମୁଖୀନ ହୋଇଥିଲେ। ୨୭ ବର୍ଷୀୟ ଅଭିଯୁକ୍ତ ଜଣକ ସହଜରେ ଉପଲବ୍ଧ ହେଉଥିବା ଏଆଇ ଟୁଲକୁ ବ୍ୟବହାର କରି ମହିଳାଙ୍କ ଫଟୋକୁ ବିକୃତ କରୁଥିଲା। ଏହାପରେ ସୋଶାଲ ମିଡିଆରେ ସେଗୁଡ଼ିକୁ ନକଲି ଆକାଉଣ୍ଟ ଜରିଆରେ ପୋଷ୍ଟ କରିବାରେ ଲାଗିଥିଲା ବୋଲି ପୁଲିସ୍ କହିଛି।
ଏବେ ଅହମଦାବାଦ ସିଟି ସାଇବର କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କୁ ଦିଲ୍ଲୀରେ ଠାବ କରିବା ସହ ବୁଧବାର ଗିରଫ କରିଛି। ପୂରା ମାମଲା ଗୁଜରାଟର ଜଣେ ଯୁବତୀଙ୍କ ସହ ଜଡ଼ିତ। ଅନଲାଇନରେ ଧାର୍ମିକ ପ୍ରବଚନ ଦେଉଥିବା ସୁମିତ ନେମଚାନ୍ଦ ଶର୍ମା ସହ ଯୁବତୀଙ୍କ ପରିଚୟ ସୋଶାଲ ମିଡିଆରେ ହୋଇଥିଲା।
ଅଭିଯୁକ୍ତ ଶର୍ମା ପ୍ରଥମେ ଯୁବତୀଙ୍କୁ ଇନଷ୍ଟାଗ୍ରାମରେ ଭେଟିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ସେ କେବଳ ଧାର୍ମିକ ବିଷୟବସ୍ତୁ ସମ୍ପର୍କରେ ତା’ ସହ କଥା ହୋଇଥିଲା। କିନ୍ତୁ ସେ ସମ୍ପର୍କକୁ ଆଗକୁ ବଢ଼ାଇବାକୁ ଆଶା ରଖି ଯୁବତୀଙ୍କ ସହ ବନ୍ଧୁତା ସ୍ଥାପନ କରିବାକୁ ଚାହିଁଥିଲା। ହେଲେ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ ଯୁବତୀ।
ପ୍ରସ୍ତାବକୁ ଯୁବତୀ ଅଗ୍ରାହ୍ୟ କରିବାକୁ ସହଜରେ ଗ୍ରହଣ କରି ନଥିଲା ଶର୍ମା। ୨୦୨୫ ଡିସେମ୍ବରରୁ ଏପ୍ରି୬ ଯାଏ ସେ ଇଣ୍ଟରନେଟରେ ଯୁବତୀଙ୍କ ପ୍ରତିଟି ଗତିବିଧିକୁ ଟ୍ରାକ କରିଥିଲା। ଇନଷ୍ଟାଗ୍ରାମ ଆକାଉଣ୍ଟରୁ ମହିଳା ଓ ତାଙ୍କ ମା’ଙ୍କ ଏକାଧିକ ଫଟୋକୁ ଡାଉନଲୋଡ କରିଥିଲା।
ଏହାପରେ ଡ୍ରେସ ହଟାଇବା ଏଆଇଟ ଟୁଲ ଅନଲାଇନରେ ସର୍ଚ୍ଚ କରିଥିଲା। ଉପକରଣ ମିଳିବା ପରେ ମହିଳା ଓ ତାଙ୍କ ମା’ଙ୍କ ଫଟୋକୁ ସେଠାରେ ଅପଲୋଡ କରି ଶର୍ମା ପ୍ରାୟ ୧୦୦ଟି ଆପତ୍ତିଜନକ, ଅଶ୍ଳୀଳ ଓ ବିକୃତ ଫଟୋ ଏବଂ ଭିଡିଓ ତିଆରି କରିଥିଲା।
ସର୍ବସମ୍ମୁଖରେ ସେମାନଙ୍କୁ ଟାର୍ଗେଟ କରିବା ପାଇଁ ଶର୍ମା ୩ଟି ନକଲି ଇନଷ୍ଟାଗ୍ରାମ ଆକାଉଣ୍ଟ ଓ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲା। ଏଥିରେ ଯୁବତୀଙ୍କ ନାଁ ଓ ଫଟୋ ବ୍ୟବହାର କରିଥିଲା।
ଏହି ସବୁ ଆକାଉଣ୍ଟରେ ସେ ଏଆଇ ଦ୍ୱାରା ତିଆରି ହୋଇଥିବା ବିଷୟବସ୍ତକୁ ଅପଲୋଡ କରିଥିଲା। ଜାଣିଶୁଣି ଯୁବତୀଙ୍କୁ ସମସ୍ତେ ଗାଳି ଦିଅନ୍ତୁ ବୋଲି ସେ କମେଣ୍ଟ ବକ୍ସ ମଧ୍ୟ ଅନ କରି ଦେଇଥିଲା।
ତଦନ୍ତ ବେଳେ ପୁଲିସ୍ ଜାଣିବାକୁ ପାଇଛି ଯେ ଶର୍ମା ଏକ୍ସ, ଫେସବୁକ, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ଏପରି ୮ରୁ ୧୦ଟି ନକଲି ଆକାଉଣ୍ଟ ଖୋଲିଥିଲା। ଅଭିଯୁକ୍ତ ଜଣକ ଯୁବତୀ ଓ ତାଙ୍କ ମା’ଙ୍କ ସମ୍ମାନକୁ କ୍ଷତି ପହଞ୍ଚାଉ ଥିବାରୁ ସେମାନେ ଅହମଦାବାଦ ସାଇବର କ୍ରାଇମ ଟିମର ସହାୟତା ଲୋଡ଼ିଥିଲେ। ଏହାପରେ ଉତ୍ତର ପୂର୍ବ ଦିଲ୍ଲୀର ଉସମାନପୁରରୁ ଶର୍ମାଙ୍କୁ ଗିରଫ କରାଯାଇଛି। ଏବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ପୁଲିସ୍ କହିଛି।






