ସୋନପୁର: ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ସୋନପୁର ଜିଲ୍ଲାର ପ୍ରସିଦ୍ଧ ପାତାଳି ଶ୍ରୀକ୍ଷେତ୍ରରେ ଆଜି ଶାନ୍ତିପୂର୍ଣ୍ଣ ଭାବେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଏହି ପବିତ୍ର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଭକ୍ତଙ୍କ ହରିବୋଲ, ଜୟ ଜଗନ୍ନାଥ ଧ୍ୱନିରେ ପାତାଳି ବଡ଼ଦାଣ୍ଡ ମୁଖରିତ ହୋଇଉଠିଥିଲା।
ମନ୍ଦିର ପରିଚାଳନା ସଦସ୍ୟଙ୍କ ସୂଚନା ଅନୁସାରେ, ଆଜିର ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ରଥଟଣା ସମୟରେ ମଝିରେ ମଝିରେ ଝିପିଝିପି ବର୍ଷା ହୋଇଥିଲେ ମଧ୍ୟ ଭକ୍ତଙ୍କ ଉତ୍ସାହରେ କୌଣସି ଭାଟା ପଡ଼ିନଥିଲା। କେତେବେଳେ ଖରା ଓ ଗୁଳୁଗୁଳି, ଆଉ କେତେବେଳେ ବର୍ଷା—ପାତାଳି ଶ୍ରୀକ୍ଷେତ୍ରର ପ୍ରାକୃତିକ ପରିବେଶ ଭକ୍ତମାନଙ୍କୁ ଏକ ଅନନ୍ୟ ଅନୁଭୂତି ଦେଇଥିଲା।
ପ୍ରାୟ ସନ୍ଧ୍ୟା ୫ଟା ସୁଦ୍ଧା ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥଙ୍କ ରଥଟଣା ସମ୍ପନ୍ନ ହୋଇଥିଲା। ଅନେକ ଶ୍ରଦ୍ଧାଳୁ ତ୍ରିକୂଟ ପାହାଡ଼ ଉପରେ ଅବସ୍ଥିତ ମାଧବ ଗୁମ୍ଫା, ଧ୍ୱନି ଗୁମ୍ଫା ଆଦି ପ୍ରାକୃତିକ ଓ ଧାର୍ମିକ ସ୍ଥଳୀ ଦର୍ଶନ କରିଥିଲେ। ପାହାଡ଼ ଚଢ଼ିବାର କଷ୍ଟକୁ ଖାତିର ନକରି ଭକ୍ତମାନେ ‘ଜୟ ଜଗନ୍ନାଥ’ ଧ୍ୱନି ଦେଇ ଉପରକୁ ଯାଇଥିଲେ।

ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପାତାଳି ବଡ଼ଦାଣ୍ଡରେ ପ୍ରାୟ ଶହେ ଜଣ ସ୍ୱୟଂ ସେବକ(RSS) ନିୟୋଜିତ ଥିଲେ। ସେମାନଙ୍କୁ ରେଡ୍କ୍ରସ୍ ଛାତ୍ରଛାତ୍ରୀ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (NCC)ର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।
ଏହି ଅବସରରେ ବୀରମହାରାଜପୁର ଉପଖଣ୍ଡ ପ୍ରଶାସନ ଓ ସ୍ଥାନୀୟ ବିଧାୟକ ରଘୁନାଥ ଜଗଦଳାଙ୍କ ପକ୍ଷରୁ ପାତାଳି ଶ୍ରୀକ୍ଷେତ୍ରର ଆହୁରି ଉନ୍ନତି ଓ ବିକାଶ ଦିଗରେ ପ୍ରଶାସନିକ ଦୃଷ୍ଟି ଦିଆଯିବ ବୋଲି କୁହାଯାଇଛି।
ତେବେ ପାତାଳି ବଡ଼ଦାଣ୍ଡର ପ୍ରଶସ୍ତିକରଣ, ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ଅଧିକ ପୁଲିସ୍ ବଳ ନିୟୋଜନ, ପାର୍କିଂ ଓ ଅନ୍ୟାନ୍ୟ ମୌଳିକ ସୁବିଧା ବୃଦ୍ଧି ପାଇଁ ଭକ୍ତମାନେ ଦାବି କରିଛନ୍ତି। ଭବିଷ୍ୟତରେ ପାତାଳି ଶ୍ରୀକ୍ଷେତ୍ରର ଉନ୍ନତି ହେଲେ ଏହି ଐତିହାସିକ ଓ ଧାର୍ମିକ ପୀଠ ଆହୁରି ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଚିତ ହେବ ବୋଲି ଭକ୍ତମାନେ ଆଶା ପ୍ରକାଶ କରିଛନ୍ତି।
ରିପୋଟିଙ୍ଗ- ଯୁଧିଷ୍ଠିର ଖମାରୀ






