ଅନୁଗୋଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ । ଆକ୍ରମଣରେ ଯୁବକ ଜଣକ ଗୁରୁତର ଆହତ ହୋଇଥିବା ବେଳେ ପ୍ରଥମେ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବଂ ପରେ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ଅନୁଗୋଳ ହୁଲୁରିସିଂହା ଅଞ୍ଚଳର ସଞ୍ଜୀବ ମାଣ୍ଡୋଠିଆ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । ତେବେ ମ୍ୟୁନିସିପାଲିଟି ସ୍କୁଲ ନିକଟରେ ହଠାତ୍ ୫ରୁ ୬ ଜଣ ଯୁବକ ତାଙ୍କୁ ଅଟକାଇଥିବା ଅଭିଯୋଗ ହୋଇଛି ।
ଏହାପରେ ସମ୍ପୃକ୍ତ ଯୁବକମାନେ ଠେଙ୍ଗା ଓ ବାଡ଼ିରେ ସଞ୍ଜୀବଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ସଞ୍ଜୀବ ତଳେ ପଡ଼ିଯିବା ପରେ ମଧ୍ୟ ତାଙ୍କୁ ବିଧା, ଗୋଇଠା ମାରିଥିବା ଅଭିଯୋଗ ହୋଇଛି । ପରେ ଆକ୍ରମଣକାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ସଞ୍ଜୀବଙ୍କ ସାଙ୍ଗସାଥୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ସଞ୍ଜୀବଙ୍କ ମୁଣ୍ଡ ଓ ଛାତିରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଏହାପରେ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି ।
ତେବେ ସାମାଜିକ ଗଣମାଧ୍ୟମରେ କଥା କଟାକଟିକୁ କେନ୍ଦ୍ର କରି ପୂର୍ବରୁ ଶତ୍ରୁତା ରହିଥିଲା ଏବଂ ସେହି ଶତ୍ରୁତାରୁ ଏଭଳି ଆକ୍ରମଣ ହୋଇଥିବା ସୂଚନା ମିଳିଛି ।
ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆକ୍ରମଣ ପଛର ପ୍ରକୃତ କାରଣ ଏବଂ ଏଥିରେ ସମ୍ପୃକ୍ତ ଯୁବକମାନଙ୍କ ସମ୍ପର୍କରେ ତଦନ୍ତ ପରେ ଅଧିକ ସ୍ପଷ୍ଟ ହେବ ।






