ପୁଣି ବିବାଦରେ ଶିଳ୍ପା ଶେଟ୍ଟୀ-ରାଜ କୁନ୍ଦ୍ରା । ଦମ୍ପତ୍ତିଙ୍କ ବିରୋଧରେ ୬୦ କୋଟି ଟଙ୍କାର ଠକେଇ ମାମଲା ରୁଜୁ ହୋଇଛି । ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା ପୁଣି ଥରେ ଆଇନଗତ ବିବାଦରେ ଫସିଛନ୍ତି ।ମୁମ୍ବାଇର ଜଣେ ବ୍ୟବସାୟୀ ଦୀପକ କୋଠରୀଙ୍କ ଠାରୁ ୬୦.୪୮ କୋଟି ଟଙ୍କାର ଠକେଇ ମାମଲା ରୁଜୁ ହୋଇଛି । ୨୦୧୫ ମସିହାରେ ରାଜେଶ ଆର୍ଯ୍ୟ ନାମକ ଜଣେ ଏଜେଣ୍ଟ ତାଙ୍କୁ ଶିଲ୍ପା ସେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ସହ ପରିଚୟ କରାଇଥିଲେ । ଯେତେବେଳେ ସେମାନେ ବେଷ୍ଟ ଡିଲ୍ ଟିଭିର ନିର୍ଦ୍ଦେଶକ ଥିଲେ । ଏହି କମ୍ପାନୀର ଏକ ଅନଲାଇନ ସପିଂ ପ୍ଲାଟଫର୍ମ ଥିଲା, ଯେଉଁଥିରେ ଶିଲ୍ପା ସେଟ୍ଟୀଙ୍କର ପ୍ରାୟ ୮୭% ସେୟାର ଥିଲା ।
ଆରମ୍ଭରେ ୭୫ କୋଟି ଟଙ୍କାର ଋଣ ୧୨% ବାର୍ଷିକ ସୁଧ ହାରରେ ମାଗିଥିଲେ, କିନ୍ତୁ ପରେ ଟିକସ କମାଇବା ପାଇଁ ଏହାକୁ ନିବେଶ ଭାବେ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଇଥିଲା । ଏହା ପରେ ଏକ ମିଟିଂ ହୋଇଥିଲା । ଟଙ୍କା ସମୟ ସୀମାରେ ଫେରସ୍ତ କରାଯିବ ବୋଲି ପ୍ରତିଶ୍ରୁତି ସହିତ ଚୁକ୍ତି ଚୂଡ଼ାନ୍ତ ହୋଇଥିଲା । ଅନ୍ୟପଟେ, ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା ନିଜ ଓକିଲଙ୍କ ମାଧ୍ୟମରେ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେମାନଙ୍କ ଓକିଲ ପ୍ରଶାନ୍ତ ପାଟିଲ କହିଛନ୍ତି ଯେ, ସେମାନେ କୌଣସି ଅପରାଧ କରିନାହାଁନ୍ତି ଏବଂ ଅଭିଯୋଗକାରୀଙ୍କୁ ତାଙ୍କର ସମସ୍ତ ୯୦ ଲକ୍ଷ ଟଙ୍କା ଆଇନଗତ ଭାବେ ଫେରସ୍ତ କରାଯାଇ ସାରିଛି । ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ।






