AK ବହୁଚର୍ଚ୍ଚିତ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାର ୧୨ ଦିନ ପରେ ଅପହରଣରୁ ହତ୍ୟା ପର୍ଯ୍ୟନ୍ତ, ପ୍ରତିଟି ମୁହୁର୍ତ୍ତର ଲୋମଟାଙ୍କୁରା କାହାଣୀ ବଖାଣିଛନ୍ତି ସ୍ତ୍ରୀ ରଶ୍ମିତା ପାତ୍ର। ପ୍ଲାନିଂରୁ ଫୋନ୍ କଲ୍, ଧମକରୁ ମର୍ଡର୍- ଗୋଟି ଗୋଟି କରି କହିଛନ୍ତି, ଅନେକ ଅଣଦେଖା ଦିଗର ଗୁମର ବି ଖୋଲିଦେଇଛନ୍ତି । ସିଧା ଆଙ୍ଗୁଠି ଉଠାଇଛନ୍ତି ଯାଆ ତଥା ଗିରଫ ମାଷ୍ଟରମାଇଣ୍ଡ ଝିଆରୀ ନିବେଦିତା ଓ ପୁତୁରା ତୁଷାରଙ୍କ ମାଆ ବସୁନ୍ଧରାଙ୍କ ଉପରକୁ । ବସୁନ୍ଧରାଙ୍କ ଭାଇ ତ୍ରିଲୋଚନ ବିଶ୍ବେଶ୍ବରାୟଙ୍କ ସଂପୃକ୍ତିକୁ ବି ସନ୍ଦେହ ଘେରକୁ ଟାଣିଛନ୍ତି।

ରଶ୍ମିତାଙ୍କ ଅଭିଯୋଗ- ଝିଆରୀ ପୁତୁରାଙ୍କ ନିର୍ମମ କାଣ୍ଡ ପଛରେ ଥାଇପାରନ୍ତି ଯାଆ ବସୁନ୍ଧରା। କାରଣ ସ୍ବାମୀ ତଥା ସୁଧୀରଙ୍କ ଭାଇଙ୍କ ମୃତ୍ୟୁ ପରେ ବସୁନ୍ଧରା ଆକ୍ରୋଶ ନିଆଁରେ ଜଳୁଥିଲେ। ଏପରିକି ଶାନ୍ତିରେ ରଖେଇଦେବେନି ବୋଲି ସର୍ବସମ୍ମୁଖରେ ଧମକ ଦେଇଥିଲେ। ଯେଉଁଥିପାଇଁ ପୁଅ, ଝିଅଙ୍କୁ ମୋହରା କରି ଉଭୟ ଭାଇ ଓ ଉଭଣୀ ସୁଧୀରଙ୍କୁ ହତ୍ୟା କରିଥାଇପାରନ୍ତି। ଏଣୁ ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଛନ୍ତି।
ଖାଲି ଏତିକି ନୁହେଁ, ରଶ୍ମିତା କହିଛନ୍ତି ସୁଧୀରଙ୍କୁ ହତ୍ୟା କରିବାକୁ ୪ ମାସ ତଳୁ ରଚାଯାଇଥିଲା କିଡନାପ୍ ପ୍ଲଟ୍। ମାଷ୍ଟ୍ରରମାଇଣ୍ଡ ସାଜିଥିଲେ ଝିଆରୀ ନିବେଦିତା। କାରଣ- ରଶ୍ମିତାଙ୍କୁ ଯେଉଁ ନମ୍ବରରେ ଅପହରଣକାରୀ ଫୋନ୍ କରୁଥିଲା, ସେଇ ନମ୍ବରରେ ୪ ମାସ ତଳୁ ଯୋଗାଯୋଗରେ ରହିଥିଲେ ଝିଆରୀ। ଏପରିକି ଅପହରଣ ପରେ ସୁଧୀରଙ୍କ ପରିବାରର ଟିକିନିଖି ଖବର ପହଞ୍ଚିଯାଉଥିଲା ଅପହରଣକାରୀଙ୍କ ପାଖରେ।
ତେବେ ସୁଧୀରଙ୍କ ହତ୍ୟା ପଛର ପ୍ରକୃତ କାରଣ କଣ ? ସମ୍ପତ୍ତି ପାଇଁ ରଶ୍ମିତାଙ୍କ ସିନ୍ଦୂର ପୋଛିଦେଲେ ନା ଆଉ କିଛି ? ଏସବୁର ଖୁଲାସା କରି ରଶ୍ମିତା କହିଛନ୍ତି, ସୁଧୀର ସେୟାର ମାର୍କେଟରେ ଅଢେଇ କୋଟି ଟଙ୍କା ନିବେଶ କରିଥିଲେ । ଯେଉଁଥିପାଇଁ ଈର୍ଷାପରାୟଣ ହୋଇପଡ଼ିଥିଲେ ଭାଉଜ। ଭିନ୍ନ ଜାତିରେ ନିବେଦିତାଙ୍କ ପ୍ରେମ ପ୍ରସଙ୍ଗରୁ ହତ୍ୟା ସନ୍ଦେହ ପ୍ରସଙ୍ଗରେ ବି ପ୍ରତିକ୍ରିୟା ରଖି ବଡ଼ ଖୁଲାସା କରିଛନ୍ତି। ସେପଟେ ଦୋଷୀଙ୍କୁ କଡ଼ା ଦଣ୍ଡ ଦେବାକୁ ଦାବି କରିଛନ୍ତି ଦୁଇ ଦୁଇ ପୁଅଙ୍କୁ ହରାଇ ଭାଙ୍ଗିପଡ଼ିଥିବା ସୁଧୀରଙ୍କ ମାଆ ।
ରଶ୍ମିତାଙ୍କ ତମାମ ଅଭିଯୋଗ ନେଇ ବସୁନ୍ଧରା କିମ୍ବା ତାଙ୍କ ଭାଇଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି। ଦେଖିବାକୁ ବାକି ରହିଲା, ଆଗକୁ ସୁଧୀର ହତ୍ୟା ମାମଲା କେଉଁ ଆଡ଼କୁ ଗତିକରୁଛି। ଆଉ କାହା କାହାକୁ ତଦନ୍ତ ପରିସରଭୁକ୍ତ କରି ବାନ୍ଧୁଛି ପୋଲିସ।…..






