ଏ.କେ ବ୍ୟୁରୋ : ବୀରମହାରାଜପୁର, ୨ ଅକ୍ଟୋବର: ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଭଂଗାମୁଣ୍ଡାସ୍ଥିତ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ ପରିସରରେ ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ପ୍ରଧାନଶିକ୍ଷକ ପଙ୍କଜ ଖମାରୀ, ଗାୟତ୍ରୀ ଆବାସିକ ହାଇଅର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଯୁଧିଷ୍ଠିର ଖମାରୀ, ବିଜ୍ଞାନ ଶିକ୍ଷକ ପ୍ରିତିଶ ପୁରୋହିତ ଓ ଗଣିତ ଶିକ୍ଷକ ଚିତ୍ରସେନ ପଧାନ ମଞ୍ଚାସୀନ ଥିଲେ।

ଲିପୁନ ସା ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଓଡ଼ିଆ, କୋସଲି, ହିନ୍ଦୀ, ସଂସ୍କୃତ ଓ ଇଂରାଜୀ—ପାଞ୍ଚଟି ଭାଷାରେ ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀଙ୍କ ଜୀବନୀ, ଆଦର୍ଶ ଓ ଅବଦାନ ସମ୍ପର୍କରେ ଭାଷଣ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ବହୁଭାଷୀ ଉପସ୍ଥାପନା ଉପସ୍ଥିତ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମନ ଜିଣିଥିଲା। ଏହି ଅବସରରେ ଶିକ୍ଷକମାନେ ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ଆଦର୍ଶ ଏବଂ ଲାଲ ବହାଦୁର ଶାସ୍ତ୍ରୀଙ୍କ ତ୍ୟାଗ, ସମର୍ପଣ, ସରଳତା ଓ ଦେଶପ୍ରେମର ଜୀବନଦର୍ଶନ ଉପରେ ଆଲୋକପାତ କରିଥିଲେ। ମହାପୁରୁଷମାନଙ୍କ ଆଦର୍ଶକୁ କେବଳ ପାଠ୍ୟପୁସ୍ତକରେ ସୀମିତ ନରଖି ନିଜ ଜୀବନରେ ଅନୁସରଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦିଆଯାଇଥିଲା।

ସଭାରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଚିତ୍ରସେନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଛାତ୍ରୀମାନଙ୍କ ଦ୍ୱାରା ‘କନ୍ୟା ରତ୍ନ’ ଶୀର୍ଷକ ଏକ କ୍ଷୁଦ୍ର ନାଟିକା ପରିବେଷଣ କରାଯାଇଥିଲା। ନାଟିକା ମାଧ୍ୟମରେ କନ୍ୟା ସନ୍ତାନର ମହତ୍ତ୍ୱ ଓ ସମାଜରେ ଝିଅମାନଙ୍କ ପ୍ରତି ସମାନ ଅଧିକାର ଓ ସମ୍ମାନର ବାର୍ତ୍ତା ପ୍ରଦାନ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମ ଶିକ୍ଷା, ସଂସ୍କାର ଓ ଦେଶପ୍ରେମର ଏକ ସୁନ୍ଦର ସମନ୍ୱୟର ସନ୍ଦେଶ ଦେଇଥିଲା।






