ନୂଆପଡ଼ା, ୨୩।୧୧ : ଦୁର୍ଗମ ଅଞ୍ଚଳର ଜନସାଧାରଣଙ୍କୁ ସରକାରୀ ସେବା ସହଜ, ସୁବିଧାଜନକ ଓ ସୁଲଭ ଭାବରେ ଯୋଗାଇଦେବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ଅଭିନବ ପଦକ୍ଷେପ ନିଆଯାଇଛି। ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ସୁନାବେଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ପ୍ରଥମ ଆଧାର ଶିବିର ଆୟୋଜିତ ହୋଇଯାଇଛି।
ଏହି ଶିବିରରେ ସୁନାବେଡ଼ା ଅଭୟାରଣ୍ୟର ବିଭିନ୍ନ ଉପତ୍ୟକାରେ ବସବାସ କରୁଥିବା ଲୋକଙ୍କୁ ଆଧାର ସମ୍ବନ୍ଧୀୟ ବିଭିନ୍ନ ସେବା ଯୋଗାଇ ଦିଆଯାଇଥିଲା। କୋମନା ବ୍ଲକର ଆଧାର ଅପରେଟର ଏବଂ ପ୍ରାଧିକରଣର ଅଧିକାର ମିତ୍ରମାନେ ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ବିଶେଷକରି ଦୁର୍ଗମ ଅଞ୍ଚଳର ଲୋକମାନେ ଆଧାର ସେବା ପାଇଁ ଦୂରଦୂରାନ୍ତକୁ ଯିବାରୁ ମୁକ୍ତି ପାଇବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଶିବିରରେ ମୋଟ ୪୬ ଜଣ ଆଧାର ସମ୍ବନ୍ଧୀୟ ସେବା ପାଇଁ ଆବେଦନ କରିଥିଲେ। ସେଥିମଧ୍ୟରୁ ୨୮ ଜଣଙ୍କର ନୂତନ ଆଧାର କାର୍ଡ ପାଇଁ ପଞ୍ଜୀକରଣ କରାଯାଇଥିବା ବେଳେ ୧୧ ଜଣ ଶିଶୁଙ୍କର ମାଣ୍ଡେଟୋରୀ ବାୟୋମେଟ୍ରିକ୍ ଅପଡେଟ୍ (MBU) କରାଯାଇଥିଲା। ଏଥିସହ ଅନ୍ୟ ୭ ଜଣଙ୍କୁ ଆଧାର ସଂଶୋଧନ ଓ ନବୀକରଣ ସମ୍ବନ୍ଧୀୟ ସେବା ପ୍ରଦାନ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ, ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ପ୍ରାଧିକରଣ ପକ୍ଷରୁ ଆୟୋଜିତ ମେଗା ଡ୍ରାଇଭ୍ରେ ଅନେକ ହିତାଧିକାରୀଙ୍କୁ ନିଶୁଳ୍କ ଆଇନ ସେବା ଯୋଗାଇ ଦିଆଯାଇଥିଲା। ଜିଲ୍ଲା ପ୍ରଶାସନର ସହଯୋଗରେ ଶିଶୁମାନଙ୍କୁ ଜନ୍ମ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଜନ୍ମ ପ୍ରମାଣପତ୍ର ପାଇବା ପରେ ସେହି ଶିଶୁମାନେ ଏହି ଶିବିରରେ ନୂତନ ଆଧାର ପାଇଁ ଆବେଦନ କରିଥିଲେ।
ଏହି ପଦକ୍ଷେପ ଦ୍ୱାରା ଆଧାର ପରିଚୟପତ୍ରରୁ ବଞ୍ଚିତ ଲୋକଙ୍କୁ ନୂତନ ଆଧାର ପଞ୍ଜୀକରଣ ସହ ଶିଶୁମାନଙ୍କୁ ଆବଶ୍ୟକୀୟ ବାୟୋମେଟ୍ରିକ୍ ଅପଡେଟ୍ ସେବା ମିଳିପାରିଛି। ଆଗାମୀ ଦିନରେ ସୁନାବେଡ଼ା ଅଞ୍ଚଳର ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ଏଭଳି ଅଧିକ ଆଧାର ଶିବିର ଆୟୋଜନ କରିବାକୁ ପ୍ରାଧିକରଣ ପକ୍ଷରୁ ପ୍ରୟାସ ଜାରି ରହିବ ବୋଲି ସଚିବ ନବନୀତା ଦାଶ ସୂଚନା ଦେଇଛନ୍ତି।






