ଏ.କେ ବ୍ୟୁରୋ : ସୋନପୁର, ୩ ଜୁଲାଇ: ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଜିଲ୍ଲାରେ ମତ୍ସ୍ୟ ମହାବିଦ୍ୟାଳୟ ସ୍ଥାପନା ପ୍ରକ୍ରିୟା ଏବେ ଆହୁରି ଗତିଶୀଳ ହୋଇଛି। ଶୁକ୍ରବାର ରାଜ୍ୟ ମତ୍ସ୍ୟ ବିଭାଗର ଏକ ଉଚ୍ଚସ୍ତରୀୟ ଟିମ୍ ଉଲୁଣ୍ଡା ବ୍ଲକର ମହଦା ନିକଟରେ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରି ପ୍ରକଳ୍ପର ବିଭିନ୍ନ ଦିଗ ସମୀକ୍ଷା କରିଛନ୍ତି। ଏହି ପରିଦର୍ଶନରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ ସାହୁ ଏବଂ ମତ୍ସ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ପ୍ରସ୍ତାବିତ ଜମିର ଉପଯୁକ୍ତତା, ଭିତ୍ତିଭୂମି ବିକାଶ ଏବଂ ମହାବିଦ୍ୟାଳୟ ସ୍ଥାପନାର ପରବର୍ତ୍ତୀ ପଦକ୍ଷେପ ନେଇ ସ୍ଥଳ ପରିଦର୍ଶନ ସମୟରେ ଆଲୋଚନା ହୋଇଥିଲା। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଶିକ୍ଷାବର୍ଷରୁ ହିଁ ମହାବିଦ୍ୟାଳୟରେ ନାମଲେଖା ଆରମ୍ଭ କରିବାକୁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଯଦି ଏହି ଯୋଜନା ସମୟମଧ୍ୟରେ କାର୍ଯ୍ୟକାରୀ ହୁଏ, ତେବେ ସୁବର୍ଣ୍ଣପୁର ସମେତ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀମାନେ ମତ୍ସ୍ୟ ବିଜ୍ଞାନ କ୍ଷେତ୍ରରେ ଉଚ୍ଚଶିକ୍ଷାର ସୁଯୋଗ ପାଇବେ। ଏହି ମହାବିଦ୍ୟାଳୟ ସ୍ଥାପନା ଦ୍ୱାରା ମତ୍ସ୍ୟଚାଷର ଆଧୁନିକୀକରଣ, ଗବେଷଣା, ଦକ୍ଷ ମାନବ ସମ୍ପଦ ସୃଷ୍ଟି ଏବଂ ସ୍ଥାନୀୟ ଅର୍ଥନୀତିକୁ ନୂଆ ଦିଗ ମିଳିବ ବୋଲି ଆଶା କରାଯାଉଛି। ଦୀର୍ଘଦିନର ଏହି ଦାବି ପୂରଣ ଦିଗରେ ସରକାରଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦାମାନେ ସ୍ୱାଗତ କରିଛନ୍ତି।
ସୁବର୍ଣ୍ଣପୁରରୁ ଯୁଧିଷ୍ଠିର ଖମାରୀଙ୍କ ରିପୋର୍ଟ ଆପଣଙ୍କ ଖବର






