ଏ.କେ ବ୍ୟୁରୋ : ହିଙ୍ଗେଙ୍କ ଓଭରରେ ସେ ୩ଟି ଛକା ଓ ୨ଟି ଚୌକା ମାରିଥିଲେ। ହେଲେ ଶେଷ ବଲରେ ଛକା ମାରିବାକୁ ଯାଉ ପ୍ୟାଭିଲିୟନ ଫେରିଛନ୍ତି। ନିଜର ବିସ୍ଫୋରକ ଇନିଂସରେ ସେ ୧୨ଟି ଛକା ଓ ୫ଟି ଚୌକା ମାରିଛନ୍ତି। 
ଛୋଟ ବୟସରେ ବଡ଼ କୀର୍ତ୍ତିମାନ। ମାତ୍ର ୧୪ ବର୍ଷ ବୟସରେ ଆଇପିଏଲରେ ଡେବ୍ୟୁ କରିଥିବା ବୈଭବ ସୂର୍ଯ୍ୟବଂଶୀ ଏବେ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ନିଜ କ୍ରିକେଟ କ୍ୟାରିୟରର ଦ୍ୱିତୀୟ ଆଇପିଏଲ ସଂସ୍କରଣରେ ସେ ବିଶ୍ୱର ବଡ଼ବଡ଼ ବ୍ୟାଟର ଯାହା କରିପାରି ନଥିଲେ, ତା’ହା କରି ଦେଖାଇଛନ୍ତି।
ଗୋଟିଏ ଆଇପିଏଲ ସିଜିନରେ ସର୍ବାଧିକ ଛକା ମାରିବାର ବିରଳ ରେକର୍ଡକୁ ସେ ଆଜି ନାଁରେ କରି ଦେଇଛନ୍ତି। ଗୋଟିଏ ଆଇପିଏଲରେ ସର୍ବାଧିକ ଛକା ମାରିବାର ରେକର୍ଡ ବିସ୍ଫୋରକ କ୍ରିସ ଗେଲଙ୍କ ନାଁରେ ରହିଥିଲା। ହେଲେ ଆଜି ସନ ରାଇଜରର୍ସ ହାଇଦ୍ରାବାଦ ୨୦୨୬ ଆଇପିଏଲ ଏଲିମିନେଟରରେ ବୈଭବ ଏହି ରେକର୍ଡକୁ ଅତିକ୍ରମ କରି ଯାଇଛନ୍ତି।
ଗେଲ ୨୦୧୨ ଆଇପିଏଲର ଗୋଟିଏ ସଂସ୍କରଣରେ ସର୍ବାଧିକ ୫୯ଟି ଛକା ମାରି ରେକର୍ଡ ସୃଷ୍ଟି କରିଥିଲେ। ୧୩ ବର୍ଷ ଧରି ଏହାକୁ ବିଶ୍ୱର କୌଣସି ଖେଳାଳି ଭାଙ୍ଗି ପାରି ନଥିଲେ। ହେଲେ ୧୫ ବର୍ଷୀୟ ସୂର୍ଯ୍ୟବଂଶୀ ୨୦୨୬ରେ ଗେଲଙ୍କୁ ଅତିକ୍ରମ କରି ଯାଇଛନ୍ତି। ତେବେ ଗେଲଙ୍କ ଆଉ ଏକ ରେକର୍ଡ ଭାଙ୍ଗିବା ଠାରୁ ମାତ୍ର ୩ ରନ ଦୂରରେ ରହି ଯାଇଛନ୍ତି ସୂର୍ଯ୍ୟବଂଶୀ।
ସେ ୨୯ ବଲରେ ୯୭ ରନର ଇନିଂସ ଖେଳିଛନ୍ତି। ଶତକ କରିପାରିଥିଲେ ସେ ଗେଲଙ୍କ ରେକର୍ଡ ଭାଙ୍ଗି ପାରି ଥାଆନ୍ତେ। କାରଣ ଆଇପିଏଲ ଇତିହାସରେ ଦ୍ରୁତତମ ଶତକ ରେକର୍ଡ ଗେଲଙ୍କ ନାଁରେ ରହିଛି। ସେ ୩୦ ବଲରେ ଶତକ ପୂରଣ କରିଥିଲେ। ହେଲେ ସୂର୍ଯ୍ୟବଂଶୀ ୨୯ ବଲରେ ୯୭ ରନ କରି ପ୍ରଫୁଲ ହିଙ୍ଗେଙ୍କ ବଲରେ ଆଉଟ ହୋଇ ଯାଇଛନ୍ତି।
ହିଙ୍ଗେଙ୍କ ଓଭରରେ ସେ ୩ଟି ଛକା ଓ ୨ଟି ଚୌକା ମାରିଥିଲେ। ହେଲେ ଶେଷ ବଲରେ ଛକା ମାରିବାକୁ ଯାଉ ପ୍ୟାଭିଲିୟନ ଫେରିଛନ୍ତି। ନିଜର ବିସ୍ଫୋରକ ଇନିଂସରେ ସେ ୧୨ଟି ଛକା ଓ ୫ଟି ଚୌକା ମାରିଛନ୍ତି।
ଆଜି ସନ ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ ପୂର୍ବରୁ ଗେଲଙ୍କ ଛକା ରେକର୍ଡ ଠାରୁ ବୈଭବ ୭ଟି ଛକା ଦୂରରେ ରହିଥିଲେ। କିନ୍ତୁ ସେ ଏହାକୁ ପାୱାର ପ୍ଲେ ମଧ୍ୟରେ ହିଁ ଅତିକ୍ରମ କରି ଯାଇଛନ୍ତି। ୩.୨ ଓଭରରେ ସେ ସାକିବ ହୁସେନଙ୍କୁ ଛକା ମାରିବା କ୍ଷଣି ଗେଲ ପଛରେ ପଡ଼ି ଯାଇଥିଲେ। ଏହାପରେ ବି ସମାନ ଓଭରରେ ସେ ଆଉ ଗୋଟିଏ ଛକା ମାରିଥିଲେ। ଏଥିସହ ମାତ୍ର ୧୬ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ୨୦ରୁ କମ ବଲରେ ସୂର୍ଯ୍ୟବଂଶୀ ୫ମ ଥର ପାଇଁ ନିଜ ଆଇପିଏଲ କ୍ୟାରିୟରରେ ୫୦ ରନ ପୂରଣ କରିଛନ୍ତି।
ସେହିପରି ଆଇପିଏଲ ନକଆଉଟ କିମ୍ବା ପାୱାର ପ୍ଲେରେ ଦ୍ରୁତତମ ଅର୍ଦ୍ଧାଶତକ ହାସଲ କରିବାରେ ସେ ସୁରେଶ ରାଇନାଙ୍କ ସମକକ୍ଷ ହୋଇଛନ୍ତି। ରାଇନା ୨୦୧୪ରେ ପଞ୍ଜାବ ବିପକ୍ଷ ପ୍ଲେ ଅଫରେ ମାତ୍ର ୧୬ ବଲରେ ୫୦ ରନ ପୂରଣ କରିଥିଲେ। ସୂର୍ଯ୍ୟବଂଶୀ ମଧ୍ୟ ସମାନ ୧୬ ବଲରେ ଆଜି ଅର୍ଦ୍ଧଶତକ ହାସଲ କରିଛନ୍ତି।
ଏହାବାଦ ପାୱାର ପ୍ଲେ ଅର୍ଥାତ ୧-୬ରୁ ଓଭର ମଧ୍ୟରେ ସର୍ବାଧିକ ଛକା ମାରିବାର ରେକର୍ଡ ମଧ୍ୟ ସୂର୍ଯ୍ୟବଂଶୀ ନିଜ ନାଁରେ କରି ଦେଇଛନ୍ତି। ସେ ଆଜି ପାୱାର ପ୍ଲେରେ ୮ଟି ଛକା ମାରିଛନ୍ତି। ଏହା ମଧ୍ୟରୁ ୪ଟି ଛକା ବିଶ୍ୱର ଅନ୍ୟତମ ସଫଳ ବୋଲର ପାଟ କମିନ୍ସଙ୍କ ଓଭରରୁ ଆସିଥିଲା।
କମିନ୍ସଙ୍କ ପ୍ରଥମ ଓଭରରେ ସୂର୍ଯ୍ୟବଂଶୀ ଗୋଟିଏ ଛକା ମାରିଥିବା ବେଳେ ଦ୍ୱିତୀୟ ଓଭରରେ କ୍ରମାଗତ ୩ଟି ଛକା ମାରି ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ସେ ଶ୍ରୀଲଙ୍କାର ଈଶାନ ମାଲିଙ୍ଗାକୁ ମଧ୍ୟ ଛକା ମାରିବାକୁ ପଛାଇ ନାହାନ୍ତି।
ସାକିବ ହୁସେନ ଓ ପ୍ରଫୁଲ ହିଙ୍ଗେ ମଧ୍ୟ ତାଙ୍କ ଆକ୍ରମଣରୁ ବର୍ତ୍ତି ନାହାନ୍ତି। ସୂର୍ଯ୍ୟବଂଶୀଙ୍କ ପୂର୍ବରୁ ପାୱାର ପ୍ଲେରେ ସର୍ବାଧିକ ଛକା ମାରିବାର ରେକର୍ଡ ସନତ ଜୟସୂରିୟାଙ୍କ ନାଁରେ ଥିଲା। ସେ ୨୦୦୮ ଚେନ୍ନାଇ ବିପକ୍ଷ ମ୍ୟାଚ୍ରେ ମୁମ୍ବାଇ ପାଇଁ ୭ଟି ଛକା ମାରିଥିଲେ।
ଆଇପିଏଲର ପାୱାର ପ୍ଲେରେ ସର୍ବାଧିକ ରନ କରିବାର ରେକର୍ଡ ମଧ୍ୟ ସୂର୍ଯ୍ୟବଂଶୀ ନିଜ ନାଁରେ କରିଛନ୍ତି। ସେ ୨୦୨୬ରେ ୪୯୦ ରନ କରି ପାରିଛନ୍ତି। ପୂର୍ବରୁ ଏହି ରେକର୍ଡ ଡାଭିଡ ୱାର୍ଣ୍ଣରଙ୍କ ନାଁରେ ଥିଲା।
ସେ ୨୦୧୬ରେ ୪୬୭ ରନ କରିଥିଲେ। ପାୱାର ପ୍ଲେରେ ୪୯୦ ରନ କରିଥିବା ସୂର୍ଯ୍ୟବଂଶୀ ଚଳିତ ଆଇପିଏଲରେ ୬୮୩ ରନ କରି ନେଇଛନ୍ତି। ଏଥିସହ ବର୍ତ୍ତମାନ ସେ କମଳା ରଙ୍ଗର ଟୋପିକୁ ମଧ୍ୟ ନିଜ ପାଖରେ ରଖିଛନ୍ତି।






